ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ମୁମ୍ବାଇରେ ନିବେଶକ ସମ୍ମିଳନୀ କରିଛନ୍ତି ଓଡ଼ିଶା ସରକାର। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ୨୦୨୫ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି।

ଏହି ସମ୍ମିଳନୀରେ ଦେଶ ବିଦେଶର ୫୦୦ରୁ ଅଧିକ ଉଦ୍ୟୋଗୀ, ଶିଳ୍ପପତି ଓ ନିବେଶକମାନେ ଯୋଗ ଦେଇଥିଲେ। ଏଠାରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ଖଣିଜ ପଦାର୍ଥ ତଥା ଉପଯୁକ୍ତ ଶିଳ୍ପ ନୀତି ବିଷୟରେ ଉପସ୍ଥାପନ କରାଯାଇଥିଲା। ଏହାସହ ଶିଳ୍ପ ତଥା ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଗୁରୁତ୍ଵ ଦିଆଯାଇଥିଲା।   

“ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସହିତ ବିପୁଳ ସୁଯୋଗ ରହିଛି। ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ଏବଂ ଗୋ-ସ୍ଵିଫ୍ଟ ଭଳି ପଦକ୍ଷେପ ସହିତ ରାଜ୍ୟ ସରକାର ନିବେଶକଙ୍କ ମାର୍ଗ ସୁଗମ କରୁଛନ୍ତି। ଭାରତର ପୂର୍ବ ଉପକୂଳରେ ଥିବା ଓଡ଼ିଶା ନିବେଶକମାନଙ୍କୁ ଏକ ଭଲ ଇକୋସିଷ୍ଟମ ପ୍ରଦାନ କରିବ। ଆନ୍ତର୍ଜାତିକ ସହଭାଗିତା ଭିତ୍ତିରେ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ନେଇ ଆଜିର ଆଲୋଚନା ଫଳପ୍ରଦ ହୋଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଗାମୀ ଦିନରେ ରାଜ୍ୟରେ ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲ୍ସ, ଇଲେକ୍ଟ୍ରୋନିକସ ତଥା ଟେକ୍ସଟାଇଲ୍ସ ଭଳି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବା ନେଇ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ମୁମ୍ବାଇରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭାରତର ବଡ଼ ବଡ଼ କମ୍ପାନିର ମୁଖ୍ୟଙ୍କ ୱାନ୍ ଟୁ ୱାନ୍ ବୈଠକ କରିଥିଲେ। ଏଥିରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ରିଲାଏନ୍ସ ଜିଓ ପ୍ଲାଟଫର୍ମ ଏବଂ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ ସମେତ ଅନ୍ୟ ନିବେଶକଙ୍କ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା କରିଥିଲେ।  

ଶନିବାର ଏହି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ରାଜ୍ୟ ଶିଳ୍ପ ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

 Tags: #UtkarshOdisha #MakeinOdishaConclave2025 #InvestorsMeet #CMMohanCharanMajhi #Mumbai

LEAVE A REPLY

Please enter your comment!
Please enter your name here