ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାରେ ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ୨୫ ତାରିଖ ସକାଳ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ ଏବଂ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ।
“ବାତ୍ୟା ମୁକାବିଲା ପାଇଁ ଆମେ ସବୁ ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ରହିଛୁ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ୨୫୦ଟି ରିଲିଫ୍ ସେଣ୍ଟର ପ୍ରସ୍ତୁତ ହୋଇଛି। ସ୍ଥାନସ୍ତାରିତ ହେବାକୁ ଥିବା ଲୋକଙ୍କ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ କରାଯାଉଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟରର ବ୍ୟବହାର କରାଯିବ। ରେଡ୍ ଆଲର୍ଟ ଦିଆଯାଇଥିବା ଜିଲ୍ଲାରେ ଅଧିକ ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ମୁତୟନ ହେବେ”, କହିଛନ୍ତି ସୁରେଶ ପୂଜାରୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଅକ୍ଟୋବର ୨୫ ତାରିଖ ସକାଳ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ୨୩ ତାରିଖ ରାତି ସୁଦ୍ଧା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ବାତ୍ୟା ଲ୍ୟାଣ୍ଡଫଲ୍ କରିବାପରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେଉଛୁ। ବାତ୍ୟା ନେଇ ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି। ବାତ୍ୟାର ଦିଗ ବଦଳିଲେ ମଧ୍ୟ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି।”
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ବ୍ୟବସ୍ଥିତ କରିବା ସହ ଗର୍ଭବତୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ରହିଛି। କେବଳ ପ୍ରଭାବିତ ଜିଲ୍ଲା ନୁହେଁ ସମସ୍ତ ୩୦ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି ହୋଇଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।
Tags: #Cyclone #Rainfall #IMD #MCBBSR #Odisha #OdishaGovt #SureshPujari