ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ। ଜେଏସଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ଏହି ଷ୍ଟିଲ କାରଖାନା ନିର୍ମାଣ ହେବ। ଶୁକ୍ରବାର କେନ୍ଦୁଝର ଗସ୍ତ ସମୟରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ଆଗାମୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀ ଓ ମୁମ୍ବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସେହି ସମୟରେ ଉଭୟ ଜେଏସଡବ୍ଲ୍ୟୁ ଓ ପୋସ୍କୋ ସହିତ ଓଡ଼ିଶାରେ ନିବେଶ ନେଇ ଆଲୋଚନା ହୋଇଥିଲା। ଏବେ ଉଭୟ କମ୍ପାନି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ଦ୍ଵାରା ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟର ଯୁବବର୍ଗଙ୍କ ପାଇଁ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୦୫ ମସିହାରେ ୫୨ ହଜାର କୋଟି ଟଙ୍କା ନିବେଶ କରି ଜଗତସିଂହପୁର ଜିଲ୍ଲାରେ ଏକ ବିଶାଳ ଇସ୍ପାତ କାରଖାନା ବସାଇବାକୁ ଓଡ଼ିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲା ଦକ୍ଷିଣ କୋରିଆର କମ୍ପାନି ପୋସ୍କୋ। ତେବେ ଜମି ଅଧିଗ୍ରହଣ ବିବାଦ ସହ ଅନ୍ୟାନ୍ୟ ବିରୋଧ ପାଇଁ ଏହା ସଫଳ ହୋଇପାରିନଥିଲା।  

Tags: #SteelPlant #Kendujhar #JSWGroup #POSCO #CMMohanCharanMajhi #Odisha

Comment