ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଯାଜପୁର ଜିଲ୍ଲା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୋକର୍ଣ୍ଣିକା ସାହିତ୍ୟ ସମାଜ ଓ ଗାଁ ମଜଲିସ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ କବି ସମରେନ୍ଦ୍ର ନାଥ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଭାପତି ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରମାକାନ୍ତ ବେହେରା ଯୋଗଦେଇ ଚେତନାଶୀଳ ଜାତିକୁ ସାହିତ୍ୟ ଜାଗ୍ରତ କରେ ବୋଲି ମତବ୍ୟକ୍ତ କରିଥିଲେ।

ସେହିପରି ମୁଖ୍ୟବକ୍ତା ଭାବେ ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ସାହିତ୍ୟକୁ ଗୋଟିଏ ଜାତିର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଦସ୍ତାବିଜ୍ ବୋଲି ଅଭିହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଜୟ କୁମାର ମହାପାତ୍ର ଏବଂ ଡକ୍ଟର ରବୀନ୍ଦ୍ର ବିହାରୀ ଯୋଗଦେଇ କହିଥିଲେ, ନୂତନ ଲେଖକମାନଙ୍କ ପାଇଁ ପ୍ରବୀଣ ଲେଖକ ଆଦର୍ଶ ହୋଇରହିବା ଉଚିତ। ସାହିତ୍ୟିକ ସାମାଜିକ ପ୍ରତିବଦ୍ଧତା ପ୍ରତି ସଚେତନ ନରହିଲେ ସାହିତ୍ୟର ସ୍ୱରୂପ ପରିପ୍ରକାଶ ହୋଇପାରେ ନାହିଁ।

ଏହି ଅବସରରେ କବି ସମରେନ୍ଦ୍ରନାଥ ମହାପାତ୍ରଙ୍କ ସମେତ ଅଞ୍ଜଳୀ କୁମାରୀ କର, ମାୟାଧର ନାୟକ, ଦେବେନ୍ଦ୍ର କୁମାର ପ୍ରଧାନ, ଡକ୍ଟର ଅଜୟ ପଣ୍ଡା, ଦାମୋଦର ଦାଶ ମହାପାତ୍ର, ସୁରଞ୍ଜନ ପାତ୍ର, ରବୀନ୍ଦ୍ର କୁମାର ଦାସ, ମହେଶ୍ୱର ପଣ୍ଡା, ମନୀନ୍ଦ୍ର ଦୀକ୍ଷିତ, ଚେମେଇ ଦାସ ଓ ରଶ୍ମିରାଣୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୋକର୍ଣ୍ଣିକା ସାହିତ୍ୟ ସମାଜ ସମ୍ପାଦକ ମହେଶ୍ୱର ପାଢ଼ୀ କବିବର ରାଧାନାଥଙ୍କ ମାମୁଘର ଯାଜପୁର ହୋଇଥିବାରୁ ସୋର ସହ ଯାଜପୁରର ସମ୍ପର୍କ ରହିଛି ବୋଲି କହିଥିଲେ। ମୁକ୍ତାକାନ୍ତ ମିଶ୍ର ମଙ୍ଗଳାଚରଣ ପଢ଼ିଥିବା ବେଳେ ଚନ୍ଦ୍ରମୋହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ୱିତୀୟ ଅଧିବେଶନ କବିତା ପାଠ ଆୟୋଜନ କରାଯାଇଥିଲା। ଏଥିରେ ବିଜୟ କୁମାର ଦାସ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଭରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାକୁ କବି ସୁରଞ୍ଜନ ପାତ୍ର ଏବଂ ସସ୍ମିତା ରାଉତ ସଂଯୋଜନା କରିଥିଲେ। ଏହି ଅବସରରେ ବହୁ କବି ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

Tags: #GokarnikaSahityaSamaj #GoldenJubilee #Balasore #GaonMajlisSahityaSansad #Literature

LEAVE A REPLY

Please enter your comment!
Please enter your name here