ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏହି ବୈଠକରେ ୩,୩୫୩ କୋଟି ଟଙ୍କାର ୧୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଅନୁମୋଦନ ହୋଇଥିବା ପ୍ରକଳ୍ପ ମଧ୍ୟରେ ଇସ୍ପାତ, ଆଲୁମିନିୟମ, କେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ପ୍ରକଳ୍ପ ସାମିଲ ରହିଛି। ଏଥିରୁ ପ୍ରାୟ ୪,୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ କଟକରେ ବିକି ଷ୍ଟିଲ ଇଣ୍ଡଷ୍ଟ୍ରିର କଟକସ୍ଥିତ ପ୍ଲାଣ୍ଟକୁ ୭୫୦ କୋଟି ଟଙ୍କା ନିବେଶରେ ସମ୍ପ୍ରସାରଣ ପାଇଁ ଅନୁମତି ମିଳିଛି। ଏହାସହ ଖୋର୍ଦ୍ଧାରେ ନେକ୍ସ୍ଟ ଥର୍ମାଲ୍ ଏସିଆର ଖୋର୍ଦ୍ଧାରେ ୫୫ କୋଟି ଟଙ୍କା ନିବେଶରେ ଡାଉନଷ୍ଟ୍ରିମ ଷ୍ଟିଲ ପ୍ରକଳ୍ପ ପାଇଁ ଅନୁମୋଦନ କରାଯାଇଛି।

ସେହିପରି ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ ବଡ଼ ନିବେଶ ପାଇଁ ଅନୁମୋଦନ କରାଯାଇଛି। ଏଥିରେ ଖୋର୍ଦ୍ଧାରେ ଭୁବନେଶ୍ଵରୀ ଫୁଡସ ପକ୍ଷରୁ କାରଖାନା ପାଇଁ ୮୦୦ କୋଟି ଟଙ୍କା ନିବେଶ କରାଯିବ। ସେହିପରି ଖୋର୍ଦ୍ଧାରେ ଅବାନ ବେଭେରେଜର ୬୨୨ କୋଟି ଟଙ୍କା ଓ ବରଗଡ଼ରେ ଜିଓ ଫାଷ୍ଟ କମ୍ପାନିର ୬୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ବୈଠକରେ ଆଇଟିସି ହୋଟେଲ୍‌ ଲିମିଟେଡକୁ ୧୧୯ କୋଟି ଟଙ୍କା ନିବେଶରେ ଭୁବନେଶ୍ଵର ସ୍ଥିତ ୱେଲକମ ହୋଟେଲର ସମ୍ପ୍ରସାରଣ ପାଇଁ ମଞ୍ଜୁର କରାଯାଇଛି। ସେହିପରି ଏସଜେ ଜେଆରଜି ଭେଞ୍ଚରକୁ ପୁରୀରେ ୧୦୦ କୋଟି ଟଙ୍କା ନିବେଶରେ ପ୍ରସ୍ତାବିତ ହୋଟେଲ ନିର୍ମାଣକୁ ଅନୁମତି ମିଳିଛି। ଏହାସହ ହୋଟେଲ ଲାଇଫ୍ ଗ୍ରୁପ ପକ୍ଷରୁ କୋରାପୁଟରେ ୫୪ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ନିର୍ମାଣକୁ ଅନୁମୋଦନ କରାଯାଇଛି।

Tags: #OdishaSingleWindowClearanceAuthority #SLSWCA #IndustrialProjects #Odisha

Comment