ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଧରି ମଣିପୁରର ଚାଲିଥିବା ହିଂସା ଥମିବାର ନାଁ ଧରୁନି। କିଛି ଦିନ ଧରି ରାଜ୍ୟରେ ସ୍ଥିତି ଶାନ୍ତ ଥିଲାବେଳେ ଏବେ ପୁଣି କୁହୁଳିଛି ହିଂସାର ନିଆଁ। ଏହାକୁ ଦୃଷ୍ଟିରେ ରଖି ଅର୍ଦ୍ଧସାମରିକ ବାହିନୀର ଆଉ ୨୦ଟି କମ୍ପାନିକୁ ମଣିପୁର ପଠାଇଛନ୍ତି କେନ୍ଦ୍ର ସରକାର। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି।

ମଣିପୁରରେ ମୁତୟନ ହୋଇଥିବା ଅତିରକ୍ତ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ୧୫ଟି ସିଆରପିଏଫ୍‌ ଏବଂ ବିଏସଏଫର ୫ଟି କମ୍ପାନି ସାମିଲ ରହିଛି।

ସୋମବାର ମଣିପୁରର ଜିରିବାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ଜଣ କୁକି ଉଗ୍ରବାଦୀଙ୍କ ମୃତ୍ୟୁ ଘଟିବା ପରେ ସାରା ରାଜ୍ୟ ଏବେ ଅଶାନ୍ତ। ଘଟଣାର ପ୍ରତିବାଦରେ କୁକି-ଜୋ କାଉନସିଲ ବୁଧବାର ମଣିପୁରରେ ରାଜ୍ୟବ୍ୟାପି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ କୁକି ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ଏକ ବିବୃତି ଜାରି କରି ମଣିପୁରର ଆଦିବାସୀମାନଙ୍କୁ ସିଆରପିଏଫକୁ ସହଯୋଗ ନକରିବାକୁ ଚେତାବନୀ ଦିଆଯାଇଛି। ରାଜ୍ୟରୁ ସିଆରପିଏଫକୁ ହଟାଇବା ଦାବିରେ ମଙ୍ଗଳବାର କାଙ୍ଗପୋକପି ଭଳି ପାହାଡ଼ିଆ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 

Tags: #ManipurViolence #CAPF #JiribamDistrict #Manipur  

Comment