ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୧ ବର୍ଷ ଧରି ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସ୍ଥିତି ଏ ଯାଏଁ ସ୍ଵାଭାବିକ ହୋଇନାହିଁ। ରାଜ୍ୟରେ ହିଂସା ଓ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଇବା ସହ କୁକୀ ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଆହୁରି ଘନଉଛି। ହିଂସାକୁ ଦେଖି ମଙ୍ଗଳବାର ମଣିପୁରର ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୌବାଲ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଇଣ୍ଟରନେଟ ବନ୍ଦ କରାଯାଇଛି।
ଏହି ସବୁ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହି କର୍ଫ୍ୟୁ ରହିବ। ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ସେପ୍ଟେମ୍ବର ୧୫ ତାରିଖ ଯାଏଁ ସାରା ମଣିପୁରରେ ଇଣ୍ଟରନେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମଣିପୁରରେ ଗତ କିଛି ଦିନ ହେବ ହିଂସାର ଏକ ନୂଆ ଧାରା ଦେଖିବାକୁ ମିଳିଛି। ନିକଟରେ ଲୋକଙ୍କ ବସ୍ତି ଉପରକୁ ଡ୍ରୋନ ଓ ରକେଟ ଆକ୍ରମଣ ହେଉଥିବାର ଦେଖିବାକୁ ମିଳୁଛି। ସେପ୍ଟେମ୍ବର ୬ ତାରିଖରେ ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗରେ ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ମରେମ୍ବାମ୍ କୋରେଙ୍ଗ ସିଂଙ୍କ ବାସଭବନ ଉପରକୁ ରକେଟ ମାଡ଼ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
ଏହାସହ ରବିବାର ରାତିରେ କାଙ୍ଗପୋକପି ଜିଲ୍ଲାର ଦୁଇଟି ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉପଦ୍ରବକାରୀମାନେ ପାଖରେ ଥିବା ଗାଁରେ ନିଆଁ ଲଗାଇ ଦେଇଥିଲେ। ଏହି ସଂଘର୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କିଛି ଲୋକ ଆହାତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ପରିସ୍ଥିତିରେ ସୁଧାର ଆସିନଥିବା ଜଣାପଡ଼ିଛି।
ଗତ କିଛି ଦିନ ହେବ ହିଂସାକୁ ନେଇ ଇମ୍ଫାଲରେ ମଣିପୁର ସରକାରଙ୍କ ବିରୋଧରେ ଲୋକେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି। ରାଜ୍ୟରେ ହିଂସା ଥମୁ ନଥିବାରୁ ପ୍ରଦର୍ଶନକାରୀମାନେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫା ଦାବି କରିଛନ୍ତି।
Tags: #ManipurViolence #GunViolence #Curfew #Imphal #ThoubalDistrict #Manipur