ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରା ମହୋତ୍ସବ-୨୦୨୪କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟଦୂର ଏବଂ ହାଇକମିଶନିରଙ୍କ ସମେତ ଅନ୍ୟ ଅଥିତିଗଣ ଯୋଗ ଦେଇଥିଲେ।
କଟକର ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ପିଠା ମହୋତ୍ସବର ଆୟୋଜନ କରାଯାଇଛି। ଏଠାରେ ଓଡ଼ିଆ ଘରର ପାରମ୍ପରିକ ପିଠା ପ୍ରଦର୍ଶିତ ହେବ। ଇଣ୍ଡୋନେସିଆ ଓ ବାଲିର କେତେକ ପିଠା ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହେବ। ଓରମାସ ପ୍ରଦର୍ଶନୀ ମଧ୍ୟରେ ଏହି ପିଠା ମହୋତ୍ସବ ସ୍ଥାନ ପାଇଛି। ପିଠା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଉପଲବ୍ଧ ରହିବ।
ଏଥର କ’ଣ ରହିଛି ଆକର୍ଷଣ?
ଚଳିତ ଥର ବାଲିଯାତ୍ରାରେ ଦର୍ଶକଙ୍କ ଲାଗି ଅନେକ ଆକର୍ଷଣ ରହିଛି। ଏହା ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ଦୋଳି, ଇନଫିନିଟି ଓ୍ଵାର୍ଲ୍ଡ ଏବଂ କଟକ ଇନ କଟକ। କଟକ ଇନ କଟକରେ ଦେଖିବାକୁ ମିଳିବ ଓଡ଼ିଆ ଚଳଚ୍ଚିତ୍ର ଇତିହାସର ଝଲକ।
ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ୍ ଏଥର ବାଲିଯାତ୍ରାର ବିଶେଷ ଆକର୍ଷଣ ପାଲଟିଛି। ଦକ୍ଷିଣ ପୂର୍ବ ରାଷ୍ଟ୍ରସୂମହ ସହ ଭାରତ ବିଶେଷ କରି ଓଡ଼ିଶାର, କଳା ଓ ସାଂସ୍କୃତିକ ବିନିମୟ, ପୌରାଣିକ ସମ୍ପର୍କ, ମନ୍ଦିର, ବସ୍ତ୍ର, ଟେରାକୋଟା, ନୃତ୍ୟ, ମୁଖା, ମୁଦ୍ରା ଆଦିର ସାମଞ୍ଜସ୍ୟ ପ୍ରଦର୍ଶିତ ହୋଇଛି।
ପାଭିଲିଅନର ମୁଖ୍ୟ ପ୍ରବେଶ ପଥରେ ଜିରାଙ୍ଗ ଗେଟ୍ ସ୍ଥାନ ପାଇଥିବାବେଳେ ପ୍ରସ୍ଥାନ ଦ୍ୱାରରେ ଇଣ୍ଡୋନେସିଆର ଗେଟ୍ ସ୍ଥାନ ପାଇଛି। ପାଭିଲିୟନ ମଧ୍ୟରେ ୧୫ରୁ ଅଧିକ ଷ୍ଟଲ ପଡ଼ିଛି।
ପ୍ରାଚୀନ କଟକର ଅବସ୍ଥିତି, କଟକରେ ବାଲିଯାତ୍ରାର ଇତିହାସ, ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ, ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ନୌବାଣିଜ୍ୟ କାରବାରର ଡିଜିଟାଲ ମାନଚିତ୍ର, ସାମୁଦ୍ରିକ ପଥ, ପୋତାଶ୍ରୟ, ନୌବାଣିଜ୍ୟ ଯାତ୍ରା, ରପ୍ତାନୀ ଓ ଆମଦାନୀ ହେଉଥିବା ସାମଗ୍ରୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର, ନୃତ୍ୟ, ମୁଖା, ପ୍ରାଚୀନ ମୁଦ୍ରା, ମନ୍ଦିର, ଟେରାକୋଟା, ବସ୍ତ୍ର, ଇକତ୍ ଶାଢ଼ି ଆଦି ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହେଉଛି।
ପାଭିଲିଅନର ଅନ୍ୟତମ ଆକର୍ଷଣ ହେଉଛି ନୌବାଣିଜ୍ୟ ପରମ୍ପରା ଓ ବାଲିଯାତ୍ରାକୁ ନେଇ କୁଇଜ୍ ପ୍ରତିଯୋଗିତା।
ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଚଳିତ ଥର ଅନେକ ଆନ୍ତର୍ଜାତୀୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଛି। ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ଦିବସରେ ଆନ୍ତର୍ଜାତୀୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
ନଭେମ୍ବର ୧୬ ତାରିଖରେ ଥାଇଲାଣ୍ଡ ଟିମ୍, ୧୭ ତାରିଖ ନେପାଳ ଟିମ୍, ୧୮ ତାରିଖରେ ଭୂଟାନ ଟିମ୍, ୧୯ ତାରିଖରେ ଶ୍ରୀଲଙ୍କା ଟିମ୍, ୨୧ ତାରିଖରେ ସ୍ଲୋଭାକିଆ ଟିମ୍ ଏବଂ ୨୨ ତାରିଖରେ ଇଣ୍ଡୋନେସିଆ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ଲାଗି ଧାର୍ଯ୍ୟ ହୋଇଛି।
ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରାଯାଇଛି। ଏଥିର ପ୍ରାୟ ୧୨ଶହ ପ୍ଲଟ କରାଯାଇଛି। ଭିଡ଼ି ନିୟନ୍ତ୍ରଣ ଏବଂ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #Historicbaliyatra #cuttack #culture #odisha #CMMohanCharanMajhi #InauguralCeremony