ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୫ ଜାନୁଆରୀ ମାସରେ ଶପଥ ନେବାଙ୍କୁ ଯାଉଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ନିଜ ଦ୍ୱିତୀୟ ପାଳିର କ୍ୟାବିନେଟ ଗଠନରେ ଲାଗିଛନ୍ତି ଟ୍ରମ୍ପ। କେଉଁମାନେ ତାଙ୍କ କ୍ୟାବିନେଟରେ ରହିବେ ତାହା ପ୍ରାୟତଃ ସ୍ପଷ୍ଟ ହୋଇସାରିଲାଣି।

ଡୋନାଲ୍ଡ ଟ୍ରମ୍ପ ତାଙ୍କର ଏହି ନୂଆ ଟିମରେ ଅନେକ ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି ଓ କିଛି ପୁରୁଣା ସାଥୀଙ୍କୁ ବି ପାଖରେ ରଖିଛନ୍ତି। ତେବେ ଏହି ତାଲିକାରେ ଯେଉଁ ନାମ ସବୁଠାରୁ ବେଶି ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ମସ୍କଙ୍କ ପାଇଁ ଏକ ନୂଆ ବିଭାଗ ଖୋଲିଛନ୍ତି ଟ୍ରମ୍ପ। ତାହା ହେଉଛି ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସ (ଡିଓଜିଇ)। ଏହି ବିଭାଗ ଦାୟିତ୍ୱରେ ଏଲନ ମସ୍କଙ୍କ ସହ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ମଧ୍ୟ ରହିବେ। ଏହା ବ୍ୟତୀତ ତୁଳସୀ ଗାବାର୍ଡଙ୍କୁ ମଧ୍ୟ ନିଜ ନୂଆ ଟିମରେ ସାମିଲ କରିଛନ୍ତି ଟ୍ରମ୍ପ।

ଏଲନ ମସ୍କ ଏବଂ ବିବେକ ରାମସ୍ୱାମୀ ଏକାଠି ମିଶି ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସକୁ ଚଳାଇବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ବିଭାଗ ଆମେରିକାରେ ଅମଲାତନ୍ତ୍ରର ରାଜ ଶେଷ କରିବା ଦିଗରେ କାର୍ଯ୍ୟ କରିବ। ଦେଶର ବିଭିନ୍ନ ବିଭାଗର ଅତିରିକ୍ତ ନିୟମକୁ କମ କରିବ, ସରକାରୀ ଅର୍ଥର ଖର୍ଚ୍ଚ କାଟ ଓ ଫେଡେରାଲ ଏଜେନ୍ସିଗୁଡିକର ପୁନର୍ଗଠନ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି ଟ୍ରମ୍ପ

ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ ନିର୍ବାଚନ ସମୟରେ ଗୋଟିଏ କଥା ଅନେକ ଥର କହିଥିବା ଦେଖିବାକୁ ମିଳିଥିଲା ଯେ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଧାର୍ମିକ ସ୍ୱତନ୍ତ୍ରତାର ରକ୍ଷା ଦିଗରେ ଧ୍ୟାନ ଦେବେ।

୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ପ୍ରଥମେ ବିବେକ ରାମସ୍ୱାମୀ ଦାବିଦାର ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସେଥିରୁ ଓହରି ଆସିଥିଲେ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ।  

ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ଡାଇରେକ୍ଟର ଅଫ ନାଶନାଲ ଇଣ୍ଟେଲିଜେନ୍ସ ବା ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ତୁଳସୀ ଗାବାର୍ଡଙ୍କୁ ଦେଇଛନ୍ତି। ୪ ଥର ସାଂସଦ ଥିବା ତୁଳସୀ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହେବା ପାଇଁ ଦାବିଦାର ଥିଲେ। ଏହାପରେ ୨୦୨୨ରେ ସେ ଡେମୋକ୍ରାଟିକ ପାର୍ଟି ଛାଡ଼ିଦେଇଥିଲେ। ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ପାର୍ଟିରେ ସାମିଲ ହୋଇ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଦେଇଥିଲେ।

ତୁଳସୀ ଗାବାର୍ଡ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ଦକ୍ଷ ସୈନିକ ମଧ୍ୟ। ସେ ଏବେ ଆମେରିକା ସେନାର ରିଜର୍ଭ ୟୁନିଟରେ ଲେଫ୍ଟନାଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟରତ। ପୂର୍ବେ ବିଭିନ୍ନ ସମୟରେ ସେ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ନିୟୋଜିତ ରହିଥିଲେ।

ହାୱାଇରେ ଜନ୍ମିତ ତୁଳସୀ ଗାବାର୍ଡ ଆମେରିକାର ପ୍ରଥମ ହିନ୍ଦୁ ମହିଳା ସାଂସଦ ଅଟନ୍ତି। ସେ ପାକିସ୍ତାନ ଏବଂ ବାଂଲାଦେଶରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଦୃଢ଼ ନିନ୍ଦା କରୁଥିବା ଦେଖିବାକୁ ମିଳେ। ତୁଳସୀଙ୍କ ମା’ ହିନ୍ଦୁ ସଂସ୍କୃତି ଅନୁସାରେ ତାଙ୍କୁ ଶିକ୍ଷା ଦେଇଥିଲେ। ସେ ଆଜୀବନ ଶାକାହାରୀ ରହିଛନ୍ତି। ସେ ଭଗବଦ ଗୀତା ଉପରେ ହାତ ରଖି ଅମେରିକୀୟ କଂଗ୍ରେସର ସଦସ୍ୟ ଭାବେ ଶପଥ ନେଇଥିଲେ।

Tags: #USPresidentialElection2024 #DonaldTrump #Cabinet #VivekRamaSwamy #TulsiGabbard

LEAVE A REPLY

Please enter your comment!
Please enter your name here