ପୁଷ୍ପମିତ୍ର ମହାନ୍ତି

ଭାରତର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଉଦବେଗଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଦିଲ୍ଲୀ ସରକାର। ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

ଏହି ପରିପ୍ରେକ୍ଷୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ଷ୍ଟେଜ୍-୪ ଅଧୀନରେ ପ୍ରଦୂଷଣ ନିରୋଧୀ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେବାରୁ ସୋମବାର ଦିନ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ବାୟୁର ଗୁଣବତ୍ତା ଆହୁରି ଖରାପ ହେବାର ଆଶଙ୍କାକୁ ନେଇ ସୁପ୍ରିମକୋର୍ଟ ଉଦବେବେଗ ପ୍ରକାଶ କରିବା ସହ ବିନା ଅନୁମତିରେ ପ୍ରତିଷେଧକ ବ୍ୟବସ୍ଥାକୁ ହ୍ରାସ କରିବାକୁ ଅନୁମତି ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଜ୍ଜନକ ସୀମା ଅତିକ୍ରମ କରି ସହ ଜିଆରଏପିର ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବାରେ ବିଳମ୍ବକୁ ନେଇ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏକ୍ୟୁଆଇ ୩୦୦ରୁ ୪୦୦ ସ୍ତରରେ ପହଞ୍ଚିଛି, ଯାହା କି ଷ୍ଟେଜ୍-୪ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଉଚିତ୍ ଥିଲା ବୋଲି କୋର୍ଟ ଆଲୋକପାତ କରିଛନ୍ତି। ଏଭଳି ପଦକ୍ଷେପକୁ ବିଳମ୍ବ କରିବା ନାଗରିକ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଶୁଣାଣି ଆରମ୍ଭରେ ଦିଲ୍ଲୀ ସରକାରଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ ସୋମବାରଠାରୁ ଜିଆରଏପିର ଷ୍ଟେଜ୍-୪ କୁ ସକ୍ରିୟ କରାଯାଇଛି ଏବଂ ସହରରେ ଭାରୀ ଯାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ଚତୁର୍ଥ ପର୍ଯ୍ୟାୟ ଅଧୀନରେ, ଏକ୍ୟୁଆଇ ୩୦୧-୪୦୦ ମଧ୍ୟରେ ପହଞ୍ଚିବା ପରେ ପଦକ୍ଷେପ ଗ୍ରହଣ କରାଯାଏ, ତେବେ ଏହା ଗୁରୁତର ବାୟୁ ପ୍ରଦୂଷଣ ଜରୁରୀକାଳୀନ ପରିସ୍ଥିତିର ସଙ୍କେତ ଦେଇଥାଏ। ବାୟୁର ଗୁଣବତ୍ତା ଦ୍ରୁତ ଗତିରେ ଖରାପ ହେଉଥିବା ବେଳେ ରାଜ୍ୟ  ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାରେ କିପରି ବିଳମ୍ବ କରିପାରିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି, “ଜିଆରଏପିର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ ହେବାରେ ବିଳମ୍ବ କରି ଆପଣ ଏହି ମାମଲାଗୁଡ଼ିକରେ କିପରି ରିସ୍କ ନେଇପାରିବେ?”

ଅନ୍ୟପଟେ ଏକ୍ୟୁଆଇ ୪୫୦ ତଳକୁ ଖସିଆସିଲେ ମଧ୍ୟ କୋର୍ଟ କୌଣସି କୋହଳ ପଦକ୍ଷେପକୁ ଅନୁମତି ଦେବେ ନାହିଁ ବୋଲି ବିଚାରପତିମାନେ ସ୍ପଷ୍ଟ କରିଛନ୍ତି। ପ୍ରଦୂଷଣ ମୁକାବିଲା ପାଇଁ ନିରନ୍ତର ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରି ସେମାନେ କହିଛନ୍ତି, ଅଦାଲତ ଅନୁମତି ନଦେବା ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଜାରି ରହିବ।

ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଦିଲ୍ଲୀ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ଦିନ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଜିଆରଏପି-୪ ଅଧୀନରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ପାଇଁ କଠୋର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଥିଲା। ସୋମବାର ସକାଳ ୮ଟାରୁ ଦିଲ୍ଲୀକୁ ଅଣ-ଅତ୍ୟାବଶ୍ୟକ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସର୍ବସାଧାରଣ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ଅସ୍ଥାୟୀ ଭାବେ ବନ୍ଦ କରିବା ଭଳି ପଦକ୍ଷେପ ନିଆଯାଇଛି।

ଦିଲ୍ଲୀର ବାୟୁଗୁଣବତ୍ତାରେ ଦ୍ରୁତ ଅବନତି ଘଟିବା ପରେ ସିଏକ୍ୟୁଏମର ଏହି ନିର୍ଦ୍ଦେଶ ପରେ ରବିବାର ଅପରାହ୍ଣ ୪ଟା ସୁଦ୍ଧା ଏକ୍ୟୁଆଇ ୪୪୧ରୁ ୪୫୭ରେ ପହଞ୍ଚିଛି।

ପବନର ବେଗ କମ୍ ରହିବା ସହ ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ବାୟୁରେ ପ୍ରଦୂଷଣ ରହୁଛି। ଜିଆରଏପି-୪ ଅଧୀନରେ ଲାଗୁ କରାଯାଇଥିବା ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବାୟୁରେ କଣିକା ପଦାର୍ଥ (ପିଏମ୍ ୨.୫ ଏବଂ ପିଏମ୍ ୧୦)ର ସାନ୍ଦ୍ରତା ହ୍ରାସ କରିବା, ଯାହା ବିପଜ୍ଜନକ ସ୍ତରରେ ଥିଲା।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ଏଲଏନଜି, ସିଏନଜି କିମ୍ବା ବିଏସ-୬ ଡିଜେଲ ଭଳି ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁଥିବା ଅଣ-ଅତ୍ୟାବଶ୍ୟକ ଯାନଗୁଡ଼ିକୁ ବିଶେଷ ଭାବେ ଟାର୍ଗେଟ କରି ଟ୍ରକ ପ୍ରବେଶ ନିଷେଧ କରାଯାଇଛି। ଏହାବ୍ୟତୀତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବାଣିଜ୍ୟିକ ଯାନ, ଯାହା ନିର୍ଗମନ ମାନଦଣ୍ଡ ପୂରଣ କରୁନଥିବା, ଇଲେକ୍ଟ୍ରିକ୍ କିମ୍ବା ସିଏନଜି/ବିଏସ-୬ ଅନୁପାଳନ କରୁନଥିବା ଯାନକୁ ସହର ଭିତରକୁ ପ୍ରବେଶ କରିବା ନିମନ୍ତେ ବାରଣ କରାଯାଇଥିଲା।

ଦିଲ୍ଲୀର ବାୟୁଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିବା ପରେ ସୁପ୍ରିମ୍ କୋର୍ଟ ଏହି ହସ୍ତକ୍ଷେପ ଗ୍ରହଣ କରିଛନ୍ତି, ଯାହା ସହରକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ହେବାର ଦ୍ୱାରକୁ ଠେଲି ଦେଇଛି।

ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ପ୍ରଦୂଷଣ ମୁକ୍ତ ବାତାବରଣରେ ରହିବାର ମୌଳିକ ଅଧିକାରକୁ ସ୍ୱୀକୃତି ଦେଇ ବାୟୁ ପ୍ରଦୂଷଣ ସଙ୍କଟ ସମ୍ପର୍କିତ ଏକ ପିଟିସନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ରାଜି ହୋଇଥିଲେ।

ଅଦାଲତରେ ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଦିଲ୍ଲୀରେ ଚାଲିଥିବା ବାୟୁ ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କ ଉପରେ ଚାପ ପଡ଼ୁଛି।

Tags: #AirPollution #SupremeCourt #DelhiGovt #GRAP-4 #AQI #DelhiNCR

LEAVE A REPLY

Please enter your comment!
Please enter your name here