ମିନତି ମିଶ୍ର
ଆଖିରେ ଲୁହ ଓ କୋହ ଭରା ମନରେ ସମୀର ଦେ’ଙ୍କୁ ବିଦାୟ ଦେଲେ କଟକବାସୀ।
ରାଜ୍ୟ ବିଜେପିର ଭୀଷ୍ମ ପୀତାମହ ଥିଲେ ସମୀର ଦେ। ସମସ୍ତଙ୍କ ଦୁଃଖସୁଖ, ଅଭାବ, ଅସୁବିଧାର ସାଥୀ। କଟକ ସହରବାସୀଙ୍କ ପାଇଁ ସମୀର ଦେ ଖାଲି ଏକ ନାଁ ନୁହେଁ ବରଂ ଏକ ଅନୁଷ୍ଠାନ। ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ, ସୁଖରେ ଦୁଃଖରେ ଖୋଜୁଥିଲେ। ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ହଜାର ହଜାର ଲୋକ ଧାଇଁ ଆସିଥିଲେ ଶେଷ ଥର ପାଇଁ ତାଙ୍କୁ ଟିକିଏ ଦେଖିବାକୁ। ତାଙ୍କ ପାଇଁ ସମସ୍ତଙ୍କ ଆଖିରେ ଥିଲା ଲୁହ। ମନରେ ଥିଲା କୋହ। ଏହି ଲୁହ ଆଉ କୋହ କହୁଥିଲା ସମୀର ଦେ କଟକବାସୀଙ୍କ ପାଇଁ କେତେ ଆପଣାର ଥିଲେ।
ପୁରୁଣା ଘଟଣାକୁ ମନେ ପକାଇ କିଏ କହୁଥିଲା, ଦିନେ କଟକ ସହରର ପିଲାଟିଏ ହଠାତ ଇଲେକ୍ଟ୍ରିକ୍ କରେଣ୍ଟ ଲାଗି ଅସୁସ୍ଥ ହୋଇପଡ଼ିଲା। ଯନ୍ତ୍ରଣାରେ ଛଟପଟ ହେଉଥାଏ ପିଲାଟି। ଏ ଖବର କେମିତି କେଜାଣି ପହଞ୍ଚିଗଲା ସମୀର ଭାଇଙ୍କ ପାଖରେ। ଆାମ୍ବୁଲାନ୍ସ ଆସିବା ପୂର୍ବରୁ ସେ ଗାଡ଼ି ଧରି ଧାଇଁ ଆସିଲେ। ନିଜ ଗାଡ଼ିରେ ପିଲାକୁ ଧରି ଡାକ୍ତରଖାନା ନେଇଗଲେ। ସେଠାରେ ତାର ଚିକିତ୍ସା ବ୍ୟବସ୍ଥା କରାଇଲେ। ପରବର୍ତ୍ତୀ ସମୟରେ ଡାକ୍ତରଖାନା ଯାଇ ପିଲାଟିର ଭଲମନ୍ଦ ବି ପଚାରି ବୁଝିଥିଲେ। ନିଜ ଦେହ ଅସୁସ୍ଥ ଥାଏ। ପରିବାର ଲୋକେ ବାହାରକୁ ଯିବାକୁ ବାରଣ କରୁଥାନ୍ତି। ତଥାପି ସେ ତାଙ୍କ ସ୍ୱଭାବସୁଲଭ କାମରୁ ନିଜକୁ ଦୂରେଇ ପାରି ନଥିଲେ…। ସମୀର ଦେ’ଙ୍କ ଏମିତି କାମକୁ ମନେ ପକାଇ ଝୁରୁଛନ୍ତି ତାଙ୍କୁ ଭଲ ପାଉଥିବା ଲୋକେ। ସମସ୍ତଙ୍କ ଆଖି ଓଦା..ମନ ଉଦାସ..।
ସମୀର ଦେ ଗତ କିଛି ଦିନ ଧରି ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କର ଦେହାନ୍ତ ହୋଇ ଯାଇଛି। ତାଙ୍କର ମୃତ୍ୟୁ ଖାଲି ବିଜେପି ନୁହେଁ, ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି।
ସମୀର ଦେଙ୍କ ଜନ୍ମ ୧୯୫୭ ମସିହା ଜାନୁଆରି ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ହୋଇଥିଲା। ବାପା ଅତୁଲ ପ୍ରସାଦ ଦେ’ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ। ସମୀର ଦେଙ୍କ ପିଲାବେଳ କଟକର ମାଛୁଆ ବଜାରରେ କଟିଛି। ତେବେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ମାଛୁଆ ବଜାରରୁ ନିମ ସାହିକୁ ଉଠି ଆସିଥିଲେ। କଟକ ସହରରେ ତାଙ୍କର ଶୈଶବ, ଯୌବନ ଆଉ ବାର୍ଦ୍ଧକ୍ୟ କଟିଥିଲା।
ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ତାଙ୍କର ରୁଚି ଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସେ କର୍ମକର୍ତ୍ତା ଥିଲେ। ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ମଧ୍ୟ ଯୋଡ଼ି ହୋଇଥିଲେ। ତା’ ପରେ ଓଡ଼ିଶା ରାଜନୀତିରେ ସେ ପାଦ ରଖିଥିଲେ। ସେ ଥିଲେ ରାଜ୍ୟ ବିଜେପିର ଜଣେ ପ୍ରତିଷ୍ଠାତା ସଭ୍ୟ।
ସମୀର ଦେ ପ୍ରଥମ ନିର୍ବାଚନ ଲଢିଥିଲେ ୧୯୯୦ ମସିହାରେ। କଟକରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ। ପରେ ୧୯୯୫ରେ କଟକ ସହର ବିଧାନସଭା ଆସନରୁ ବିଜେପି ଟିକେଟରେ ଛିଡ଼ା ହୋଇଥିଲେ ଓ ଜିତିଥିଲେ ମଧ୍ୟ। ଏହା ପରେ ୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ମଧ୍ୟ ଏହି ଆସନରୁ ଜିତି ବିଧାୟକ ହୋଇଥିଲେ।
ମେଣ୍ଟ ସରକାରରେ ସମୀର ଦେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ଥିଲେ। ୨୦୦୦ରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ୨୦୦୪ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିଲେ। ତାଙ୍କ ସମୟରେ ହିଁ ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା। ଏହାସହ କଟକରେ ନାସନାଲ ଲ’ ୟୁନିଭର୍ସିଟି ସ୍ଥାପନ ହୋଇଥିଲା।
ତେବେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସମୀର ଦେ ୨୦୦୯ ଓ ୨୦୧୯ରେ କଟକ ବାରବାଟୀ ଆସନରୁ ବିଧାୟକ ଏବଂ ୨୦୧୪ରେ କଟକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ଜିତି ପାରି ନଥିଲେ।
୪ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ସମୀର ଦେଙ୍କ ଦବଦବା ଥିଲା। ବିଶେଷ କରି ସେ କଟକ ସହରରେ ଅନେକ ବିକାଶମୂଳକ କାମ କରି ଯାଇଛନ୍ତି। ତାଙ୍କ ସମୟରେ କଟକରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ତଥା ରେଭେନ୍ସାର ଦ୍ଵିତୀୟ କ୍ୟାମ୍ପସ କଥା ପ୍ରସ୍ତାବିତ ହୋଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଥିବାବେଳେ ସେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଥିଲେ। କଲେଜରେ ଡ୍ରେସ କୋଡ୍ ବ୍ୟବସ୍ଥା ତାଙ୍କ ସମୟରେ ହିଁ ଆରମ୍ଭ ହୋଇଥିଲା।
Tags: #SamirDey #FormerMinister #Politician #Politics #Cuttack #Odisha