ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ର ଟାଇଟଲ୍ ଜିତିଛି ଟିମ୍ ଇଣ୍ଡିଆ। ବିହାରର ରାଜଗିରରେ ହୋଇଥିବା ଏହି ପ୍ରତିଯୋଗିତାରେ ବୁଧବାର ଫାଇନାଲରେ ଚୀନକୁ ୧-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଏଥିସହ ତୃତୀୟଥର ପାଇଁ ଏହି ଟ୍ରଫି ଉଠାଇଛି ଭାରତୀୟ ମହିଳା ହକି ଦଳ। ଷ୍ଟାଡିୟମରେ ହଜାର ହଜାର ଦର୍ଶକ ଏହି ମେଗା ଫାଇନାଲର ମଜା ଉଠାଇଥିଲେ।

ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଭାରତର ଦୀପିକା କୁମାରୀ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି। ଏହାସହ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଛନ୍ତି। ସେହିପରି ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଜାପାନ ୪-୧ ଗୋଲରେ ମାଲେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା।

ବୁଧବାର ଫାଇନାଲ ମ୍ୟାଚ୍ ଆରମ୍ଭରୁ ଉଭୟ ଭାରତ ଓ ଚୀନ ଡିଫେନ୍ସିଭ ପ୍ରଦର୍ଶନ ଆରମ୍ଭ କରିଥିଲେ। ମ୍ୟାଚର ପ୍ରଥମ ୨ଟି କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ୍ ସ୍କୋର କରିପାରିନଥିଲେ।

ଏହାପରେ ତୃତୀୟ କ୍ୱାର୍ଟର ଆରମ୍ଭରେ ଭାରତୀୟ ଡ୍ରଗ ଫ୍ଲିକର ଦୀପିକା କୁମାରୀ ପେନାଲ୍ଟି କର୍ଣ୍ଣରରୁ ଦଳ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ଚୀନର ଖେଳାଳିମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଆଉ କୌଣସି ଗୋଲ୍ ଦେଇ ପାରିନଥିଲେ।  

ଏହି ଟାଇଟଲ୍ ବିଜୟ ସହ ତୃତୀୟ ଥର ପାଇଁ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ କରିଛି ଟିମ୍ ଇଣ୍ଡିଆ। ଏହାପର୍ବରୁ ଦଳ ୨୦୧୬ ଓ ୨୦୨୩ରେ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଏହାସହ ୨୦୧୩ ଓ ୨୦୧୮ରେ ଏହି ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହୋଇଥିଲା ଭାରତ। ଆଗକୁ ଆସୁଥିବା ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତୀୟ ମହିଳା ଦଳ ନିଜର ବିଜୟଧାରା ଜାରି ରଖିବ ବୋଲି ହକିପ୍ରେମୀମାନେ ଆଶାବାଦୀ ଅଛନ୍ତି।

Tags: #WomensAsianHockeyChampionsTrophy #Final #IndiavsChina #HockeyIndia #FIH #Hockey

LEAVE A REPLY

Please enter your comment!
Please enter your name here