ପୁଷ୍ପମିତ୍ର ମହାନ୍ତି

ଜଣେ କଏଦୀଙ୍କ ପାରୋଲ ଆବେଦନକୁ ଖାରଜ କରିବା ଜେଲରଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀହରି ରାଜଲିଙ୍ଗମ୍ ଗୁଣ୍ଟୁକା ନାମକ ଜଣେ କଏଦୀଙ୍କ ପାରୋଲ ଆବେଦନକୁ ବେଆଇନ ଭାବେ ଖାରଜ କରିଥିବାରୁ ବମ୍ବେ ହାଇକୋର୍ଟ ନାସିକ ସେଣ୍ଟ୍ରାଲ ଜେଲର ଜେଲରଙ୍କୁ ୨୫,୦୦୦ ଟଙ୍କାର ଜରିମାନା କରିଛନ୍ତି। ଏହା ନିୟମ ଏବଂ ନ୍ୟାୟିକ ଆଦେଶକୁ ସିଧାସଳଖ ଉଲ୍ଲଂଘନ କରୁଛି ବୋଲି ଅଦାଲତ ରାୟ ଦେଇଛନ୍ତି।

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ ଏବଂ ଜଷ୍ଟିସ୍ ମଞ୍ଜୁଷା ଦେଶପାଣ୍ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ପାରୋଲର ମନମୁଖୀ ପ୍ରତ୍ୟାଖ୍ୟାନକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ନାସିକ ଜେଲ୍ କର୍ତ୍ତୃପକ୍ଷ ପୂର୍ବ ଅଦାଲତଙ୍କ ଅନେକ ଆଦେଶ ପ୍ରତି ଆଖି ବୁଜି ଦେଇଛନ୍ତି। 

ଅଦାଲତ ଆଲୋକପାତ କରିଛନ୍ତି ପାରୋଲ ଅନାବଶ୍ୟକ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ଦ୍ୱାରା ସୀମିତ ହେବା ଉଚିତ ନୁହେଁ, ବିଶେଷକରି ଗମ୍ଭୀର ପାରିବାରିକ ଅସୁସ୍ଥତା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ, ଯାହାର ପୂର୍ବାନୁମାନ କିମ୍ବା ଯୋଜନା କରାଯାଇପାରିବ ନାହିଁ।

ସେପ୍ଟେମ୍ବର ୨୦୨୪ରେ ଗୁଣ୍ଟୁକାଙ୍କ ପାରୋଲ ଆବେଦନ ଖାରଜ ହୋଇଥିଲା। ଗୁଣ୍ଟୁକା ତାଙ୍କ ପତ୍ନୀଙ୍କ ମେଡିକାଲ ଜରୁରୀକାଳୀନ ଚିକିତ୍ସା ହେତୁ ପାରୋଲ ଆବେଦନ କରିଥିଲେ। ସେ ନାସିକ ଡିଭିଜନର ଡିଭିଜନାଲ କମିଶନରଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ, ଯାହାକୁ ଜେଲ୍ ଅଧୀକ୍ଷକ ପରିଚାଳନା କରି ଖାରଜ କରିଦେଇଥିଲେ। ଗୁଣ୍ଟୁକା ମାତ୍ର ୨୧ ଦିନ ପୂର୍ବରୁ ଫର୍ଲୋ ଛୁଟିରୁ ଫେରିଥିବାରୁ ତାଙ୍କ ଆବେଦନ ଖାରଜ କରାଯାଇଥିବା ଦର୍ଶାଯାଇଥିଲା।

ବମ୍ବେ ହାଇକୋର୍ଟ ତାଙ୍କ ରାୟରେ ଗୁରୁତ୍ୱାରୋପ କରିଥିଲେ ଫର୍ଲୋ ଏବଂ ପାରୋଲ ମଧ୍ୟରେ ଦେଢ଼ ବର୍ଷର ପ୍ରତୀକ୍ଷା ଅବଧି ଲାଗୁ କରିବା ଅଯୌକ୍ତିକ ଏବଂ ବେଆଇନ। ବିଶେଷକରି ଯେତେବେଳେ କଏଦୀମାନେ ଜରୁରୀକାଳୀନ ପରିସ୍ଥିତି, ଯେପରିକି ସମ୍ପର୍କୀୟଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପାରୋଲ ପାଇଁ ଆବେଦନ କରନ୍ତି।

ଉଭୟ ଆଇନ ଓ ପୂର୍ବ ରାୟକୁ ଅବମାନନା କରିଥିବାରୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି, ଆବେଦନକାରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ଏହି ଘଟଣାରେ ନାସିକ୍ ଜେଲର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହାକୁ ତୀବ୍ର ନିନ୍ଦା କରାଯାଇଛି।

ଅଦାଲତ କହିଛନ୍ତି “ପାରୋଲ ଏବଂ ଫର୍ଲୋ ମାମଲାରେ ଅଦାଲତଙ୍କ ଆଦେଶ ପାଳନ ନ କରିବାର ସମାନ ଉଦାହରଣ ଅଲଗା ନୁହେଁ ବରଂ ଅତୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ଜେଲ୍ କର୍ତ୍ତୃପକ୍ଷ କଏଦୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରି ନିଜର ମନମୁଖୀ କାର୍ଯ୍ୟ ଜାରି ରଖିବା ଦୁର୍ଭାଗ୍ୟଜନକ ବୋଲି କୋର୍ଟ ଦୋହରାଇଛନ୍ତି।”

ଗୁଣ୍ଟୁକାଙ୍କ ପାରୋଲ ଆବେଦନଉପରେ ପୁନର୍ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବାକୁ କୋର୍ଟ ଜେଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜେଲର ଗୁଣ୍ଟୁକାଙ୍କୁ ୪ ସପ୍ତାହ ମଧ୍ୟରେ ୨୫,୦୦୦ ଟଙ୍କା ଜରିମାନା ଦେବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତଙ୍କ ଏହି ରାୟ ମହାରାଷ୍ଟ୍ରର ଜେଲଗୁଡ଼ିକରେ ପାରୋଲ ଆବେଦନର ଭବିଷ୍ୟତ ପରିଚାଳନା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ବିଶେଷ କରି ଜରୁରୀ ପରିସ୍ଥିତିରେ କଏଦୀଙ୍କ ପାରୋଲ ଅଧିକାର ସମ୍ପର୍କରେ ନ୍ୟାୟିକ ଆଦେଶ ଏବଂ ଜେଲ (ବମ୍ବେ ଫର୍ଲୋ ଆଣ୍ଡ ପାରୋଲ) ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାର ଆବଶ୍ୟକତା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଆଇନର ଏଭଳି ଉଲ୍ଲଂଘନ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଆଦେଶ ଜଣାଇବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Tags: #Parole #NashikJail #BombayHighCourt #JusticeSystem #India

LEAVE A REPLY

Please enter your comment!
Please enter your name here