ମିନତି ମିଶ୍ର
ମସଜିଦ ସର୍ଭେକୁ ନେଇ ଅଶାନ୍ତ ହୋଇପଡ଼ିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ରବିବାରଠାରୁ ଏଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଠାରେ ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଛନ୍ତି। ଏବେ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରି ଦିଆଯାଇଯିବା ସହ ଉତ୍ତେଜନା ହୋଇଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ସବୁ ସ୍କୁଲ କଲେଜକୁ ବନ୍ଦ କରାଯାଇଛି।
ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିବା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା ଲାଗି ସାରା ରାତି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ମାମଲାରେ ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କୁ ମିଶାଇ ୨୧ ଜଣଙ୍କୁ ପୋଲିସ ଗିରଫ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ ପୋଲିସ ଫୋର୍ସଙ୍କୁ ଆଣି ଏଠାରେ ମୁତୟନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲସ ପକ୍ଷରୁ କୁହାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ସମ୍ଭଲରେ ଥିବା ଜାମା ମସଜିଦରେ ରବିବାର ସକାଳେ ସର୍ଭେ କରିବା ପାଇଁ ଏକ ବିଶେଷଜ୍ଞ ଟିମ ପହଞ୍ଚିବାବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା। କ୍ରମେ ଏହା ହିଂସାର ରୂପ ନେଇଥିଲା। ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୨୦ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି।
ସମ୍ଭଲ ହିଂସାକୁ ନେଇ ମାନବାଧିକାର ଆୟୋଗରେ ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦେଖି ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏପରିକି ସାମାଜିକ ସଂଗଠନ ଏବଂ ଜନ ପ୍ରତିନିଧିଙ୍କ ପ୍ରବେଶକୁ ବ୍ୟାନ କରାଯାଇଛି।
ହରିହର ମନ୍ଦିରକୁ ଭାଙ୍ଗି ସମ୍ଭଲରେ ଏହି ଜାମା ମସଜିଦ ନିର୍ମାଣ କରାଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ହୋଇଥଲା। ଏନେଇ କୋର୍ଟରେ ଏକ ମାମଲା ହୋଇଥିଲା। ସ୍ଥାନୀୟ କୋର୍ଟ ଏହି ଅଭିଯୋଗର ଶୁଣାଣି କରି ଜାମା ମସଜିଦ ଭିତର ସର୍ଭେ କରିବା ପାଇଁ ଆଦେଶ ଦେଇଥିଲେ।
ଗତ ସପ୍ତାରେ ପ୍ରଥମ ସର୍ଭେ ସରିଥିଲା। ରବିବାର ଦ୍ଵିତୀୟ ସର୍ଭେ ଆରମ୍ଭ ହେବା ପୂର୍ବରୁ ଉତ୍ତେଜନା ଦେଖାଦେଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେବା ସହ ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ ବି କରିଥିଲା।
ସର୍ଭେକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିଲା। ହେଲେ ଏହି ସମୟରେ କିଛି ଲୋକ ମସଜିଦ ପାଖରେ ଏକାଠି ହୋଇ ନାରା ଦେବାକୁ ଲାଗିଲେ। ପୋଲିସ ସେମାନଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ କହିବାରୁ ଭିଡ଼ ଭିତରୁ କିଛି ଲୋକ ହଠାତ ପୋଲିସ ଉପରକୁ ଢେଲାପଥର ମାଡ଼ ଆରମ୍ଭ କରିଦେଇଥିଲା। ଏହି ଲୋକମାନଙ୍କୁ ହିଂସା ପାଇଁ କେହି ଉସକାଇ ପଠାଇଥିଲେ ବୋଲି ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏହି ବିରୋଧ ଧୀରେ ଧୀରେ ହିଂସାର ରୂପ ନେଇଥିଲା।
Tags: #Sambhal #Violence #MasjidSurvey #Police #UttarPradesh