ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ସଭାଗୃହରେ ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଦ୍ୱିତୀୟ ଗଳ୍ପ ପୁସ୍ତକ ‘ଅମୃତର ସନ୍ଧାନ’ ଉନ୍ମୋଚିତ ହୋଇଯାଇଛି।
ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପଲତା ଦେବୀ ଓ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ମିଳିତ ଭାବେ ପୁସ୍ତକ ‘ଅମୃତର ସନ୍ଧାନ’କୁ ଉନ୍ମୋଚନ କରିଥିଲେ।
ଆୟୋଜିତ ସଭାରେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ପୌରୋହିତ୍ୟ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ ସୂଚନା ଦେଇଥିଲେ। କବି କାଳିକିଙ୍କର ଦାସ ଓ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପୁସ୍ତକର ସମୀକ୍ଷା କରିଥିଲେ। ଲେଖିକାଙ୍କ ପ୍ରତ୍ୟେକ ଗଳ୍ପ ମନଛୁଆଁ ଓ ପାଠକଙ୍କୁ ନିରାଶ କରିବ ନାହିଁ ବୋଲି ସମୀକ୍ଷକ କହିଥିଲେ।
ଗାଳ୍ପିକା ଅର୍ଚ୍ଚନା ରଥ ନିଜ ଅଭିଭାଷଣରେ କହିଥିଲେ, “ମୋ ଜୀବନରେ ମୁଁ ଯେଉଁ ଅନୁଭବ କରିଛି, ଯେଉଁ କଥା ବେଦନା ମୋତେ ବ୍ୟଥିତ କରିଛି, ତାହାକୁ ମୁଁ ଗଳ୍ପ ମାଧ୍ୟମରେ ପ୍ରକାଶ କରିବାର ପ୍ରୟାସ କରିଛି।”
ପୁସ୍ତକ ଉନ୍ମୋଚନ ଉତ୍ସବରେ ବ୍ୟଙ୍ଗକବି ବ୍ରହ୍ମନାଥ ରଥ ମଞ୍ଚ ଆହ୍ୱାନ କରିଥିବା ବେଳେ ବହ୍ନିମାନ ରଥ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ବ୍ୟୋମନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ଲେଖକ ଲେଖିକା ଓ ସାମ୍ବାଦିକ ଯୋଗ ଦେଇଥିଲେ।
Tags: #WriterArchanaRath #BookLaunchingCeremony #Balasore #StoryBook