ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ତେବେ ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏଥିପାଇଁ ଅଧିବେଶନକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ କରାଯାଇଛି।
ଅନ୍ୟପଟେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୃହରେ ବିରୋଧୀ ନେତାମାନଙ୍କ ସହଯୋଗ କାମନା କରିଛନ୍ତି। ରାଜନୈତିକ ମତଭେଦକୁ ଭୁଲି ସକାରାତ୍ମକ ଚିନ୍ତାଧାରା ସହ ଅଧିବେଶନରେ ସାମିଲ ହେବାକୁ ସେ ବିରୋଧୀ ଦଳମାନଙ୍କୁ ପରାମର୍ଶ ଦେଇଛନ୍ତି।
ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏକାଧିକ ବିଲ୍ ଉପସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ୱାନ ନେସନ, ୱାନ ଇଲେକସନ ଓ ୱାକଫ୍ ସଂଶୋଧନ ବିଲ୍ ଭଳି ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।
ସର୍ବଦଳୀୟ ବୈଠକରେ କ’ଣ ହୋଇଥିଲା?
ଶୀତକାଳୀନ ଅଧିବେଶନ ପାଇଁ ରବିବାର ସର୍ବଦଳୀୟ ବୈଠକ ଆୟୋଜନ ହୋଇଥିଲା। ଅଦାନୀ ଗ୍ରୁପ ଲାଞ୍ଚ ପ୍ରସଙ୍ଗରେ ଉଭୟ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ସେହିପରି ମଣିପୁର ହିଂସା ପ୍ରସଙ୍ଗରେ ବି ବିରୋଧୀ ଦଳ ସରକାରଙ୍କଠାରୁ ଉତ୍ତର ମାଗିବାକୁ ଚାହୁଁଛନ୍ତି। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, “ସରକାର ସବୁ ପ୍ରସଙ୍ଗ ଉପରେ ନିୟମ ଅନୁସାରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ କେଉଁ ବିଷୟରେ ଗୃହରେ ଆଲୋଚନା କରାଯିବ ତାହାର ନିଷ୍ପତ୍ତି ସଂସଦର ଆଡଭାଇଜରି କମିଟି କରିବ।”
କ’ଣ ଥିଲା ବିରୋଧୀଙ୍କ ଦାବି?
ସର୍ବଦଳୀୟ ବୈଠକ ପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ, “ବିରୋଧୀ ଦଳ ଅଦାନୀ, ମଣିପୁର, ଉତ୍ତର ଭାରତ ପ୍ରଦୂଷଣ ଏବଂ ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି।” କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନ ପ୍ରଦୂଷଣ ଉପରେ ଶୂନ୍ୟକାଳରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ସେହିପରି କଂଗ୍ରେସ ସାଂସଦ ଗୌରବ ଗୋଗଇ ଅଦାନୀ ଗ୍ରୁପର ଲାଞ୍ଚ ମାମଲା ଉପରେ ବିସ୍ତୃତ ଆଲୋଚନା ପାଇଁ ଦାବି କରିଥିଲେ। ସର୍ବଦଳୀୟ ବୈଠକରେ ୩୦ଟି ଦଳର ୪୨ ଜଣ ନେତା ଯୋଗ ଦେଇଥିଲେ ।
ଅଧିବେଶନ ପୂର୍ବରୁ ଇଣ୍ଡି ମେଣ୍ଟ ବୈଠକ
ସେହିପରି ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଇଣ୍ଡି ମେଣ୍ଟ ନେତାଙ୍କୁ ନେଇ ଏକ ବୈଠକ ଡାକିଥିଲେ। ବୈଠକ ସଂସଦ ଭବନରେ ଥିବା ଖଡ଼ଗେଙ୍କ ଅଫିସରେ ହୋଇଥିଲା। ସରକାରଙ୍କୁ କିପରି ଘେରିବେ ସେନେଇ ନେତାଙ୍କ ସହ ବିଚାର ବମର୍ଷ କରାଯାଇଥିଲା।
ଚଳିତ ଲୋକସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୧୫ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
Tags: #Parliament #WinterSession #LokSabha #RajyaSabha #India