ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଜଣାଶୁଣା ଗାଳ୍ପିକ ତଥା ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ମିଳିଲା ‘ଆଜ୍‌ ତକ୍ ସାହିତ୍ୟ ଜାଗୃତି ସମ୍ମାନ’। ଦେଶର ଅନ୍ୟତମ ପ୍ରମୁଖ ସମ୍ବାଦ ମେଡିଆ ସଂସ୍ଥା ‘ଇଣ୍ଡିଆ ଟୁଡେ’ ଏବଂ ‘ଆଜ୍ ତକ୍’ ପକ୍ଷରୁ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆୟୋଜିତ ‘ସାହିତ୍ୟ ଆଜ୍ ତକ୍’ କାର୍ଯ୍ୟକ୍ରମରେ ଡକ୍ଟର ପ୍ରଦୀପ ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ଡକ୍ଟର ପ୍ରଦୀପ ଦାଶ। ପୁରସ୍କାର ସ୍ଵରୂପ ତାଙ୍କୁ ଏକ ଫଳକ ଏବଂ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ବାଲେଶ୍ଵରର ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଓଲମରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡକ୍ଟର ପ୍ରଦୀପ ଦାଶଙ୍କୁ ତାଙ୍କର ହୁଚର୍ଚ୍ଚିତ ଉପନ୍ୟାସ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ସେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଓ ଇମ୍ଫାଗ୍ରୁପ୍ ପ୍ରଦତ୍ତ ‘ସାରଳା ସମ୍ମାନ’ ପ୍ରାପ୍ତ କରିଛନ୍ତି। ପ୍ରଦୀପ ଦାଶଙ୍କର ପ୍ରକାଶିତ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଘୁମ୍ ପାହାଡ଼ର ନଈ’, ‘ବର୍ବର’, ‘ମୀମାଂସା’, ‘ଅର୍ଘ୍ୟ’ ଓ ‘ପେଟପାଟଣା’। ‘ଚରୁ ଚିବର ଓ ଚର୍ଯ୍ୟା’ ପୁସ୍ତକ ସମେତ ତାଙ୍କର ଅନେକ ପୁସ୍ତକ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦ୍ରୁତି ଲାଭ କରିଛି।

ଏହି ସମ୍ମାନଜନକ ପୁରସ୍କାର ପରେ ଡକ୍ଟର ପ୍ରଦୀପ ଦାଶଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବାଲେଶ୍ଵର ଲେଖକ ମହଲରୁ କବି ଅଭୟ ଦାସ, ଶ୍ରୀଦେବ, ଉଦୟ ନାରାୟଣ ଦାସ, କୃଷ୍ଣ କୁମାର ମହାନ୍ତି, ଅଞ୍ଜନ ଚାନ୍ଦ, ପ୍ରଶାନ୍ତ ଦାସ, ବିମଳ ଜେନା, ଗଙ୍ଗାଧର ବିଶ୍ଵାଳ, ସୈରିନ୍ଧ୍ରୀ ସାହୁ, ସୃଷ୍ଟିଧର ପରିଡ଼ା, ଦେବଯାନୀ ଦାସ ପ୍ରମୁଖ ଡକ୍ଟର ଦାଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Tags: #AajTakSahityaJagrutiSamman #DrPradipDash #Literature #Balasore #Odisha

LEAVE A REPLY

Please enter your comment!
Please enter your name here