ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ସମ୍ମିଳନୀ ପାଇଁ ଓଡ଼ିଶା ଆସିବେ। ଏନେଇ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପ୍ରଧାନମନ୍ତ୍ରୀ ଶୁକ୍ରବାର ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ତାଙ୍କ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଭୁବନେଶ୍ଵରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ବିମାନବନ୍ଦର ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ।
ଏହାପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଶୋଭାଯାତ୍ରାରେ ରାଜଭବନକୁ ଯିବେ। ସେଠାରୁ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି କର୍ମକର୍ତ୍ତାଙ୍କ ସହ ବୈଠକ କରିବେ। ବୈଠକରେ ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ତଥା ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ।
ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଥିରେ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ସାମିଲ ହେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ସମ୍ମିଳନୀରେ ଯୋଗ ଦେବେ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀ ଆୟୋଜିତ ହେବ। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ଵରରେ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। ସହରରେ ବ୍ୟାପକ ପୋଲିସ ଫୋର୍ସ ସହ ବିଏସଏଫ, ସିଆରପିଏଫ ଓ କ୍ଵିକ୍ ରିଆକ୍ସନ ଟିମ୍ ମୁତୟନ କରାଯାଇଛି।
Tags: #NarendraModi #PMOIndia #OdishaVisit #DGPConference #Bhubaneswar