ମିନତି ମିଶ୍ର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସବୁବେଳେ ଚର୍ଚ୍ଚାରେ। କେତେବେଳେ ଚାହାଣୀକୁ ନେଇ ତ କେତେବେଳେ କାହାଣୀକୁ ନେଇ। ହେଲେ ଏବେ ଚର୍ଚ୍ଚା ତାଙ୍କର ନାଁକୁ ନେଇ। ନିକଟରେ ବଚ୍ଚନ ପରିବାର ସହ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ନେଇ ଖୁବ ଗସିପ୍ ଚାଲିଛି ସୋସିଆଲ ମିଡିଆରେ। ଏହି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ଦୁବାଇର ଗୋଟିଏ ଘଟଣା। ଦୁବାଇର ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ତାଙ୍କ ନାଁରୁ ‘ବଚ୍ଚନ’ ସରନେମ ହଟାଇ ଦେଇଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଡିଭୋର୍ସକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଖାଲି ସୌନ୍ଦର୍ଯ୍ୟ ନୁହେଁ, ଅଭିନୟ ପାଇଁ ମଧ୍ୟ ସିନେପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା। ବଲିଉଡରେ ସେ କ୍ୟାରିୟର ଆରମ୍ଭ କରିଥିଲେ ‘ଔର ପ୍ୟାର ହୋ ଗୟା’ ଫିଲ୍ମରୁ। ଏହା ପରେ ସେ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସିନେମାରେ ଦେଖିବାକୁ ମିଳିଛି ଐଶ୍‌ଙ୍କ ନିଆରା ଅନ୍ଦାଜ।

୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଐଶ୍ୱର୍ଯ୍ୟା। ଏହା ପରଠାରୁ ସେ ଐଶ୍ୱର୍ଯ୍ୟା ରାୟରୁ ହୋଇଯାଇଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ହେଲେ ଏଇ କିଛି ବର୍ଷ ହେବ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବା ମଧ୍ୟ କୁହାଯାଉଛି। ଏହି ଚର୍ଚ୍ଚା ସେତେବେଳେ ସନ୍ଦେହରେ ପରିଣତ ହେଲା ଯେତେବେଳେ ଏହାକୁ ନେଇ ଐଶ୍ୱର୍ଯ୍ୟା ବା ଅଭିଷେକଙ୍କ ପକ୍ଷରୁ କେହି ମୁହଁ ଖୋଲି ନଥିଲେ।

ହେଲେ ନିକଟରେ ଅମିତାଭ ବଚ୍ଚନ ଏପରି ଗୁଜବକୁ ନେଇ ମୁହଁ ଖୋଲିଥିଲେ। ଏହାକୁ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି କହିଥିଲେ ବିଗ୍ ବି। ଏପରି କଥାରେ ପ୍ରଶ୍ନବାଚୀ ଲଗାଇ ମନଗଢ଼ା କାହାଣୀ ମିଡିଆରେ ପ୍ରଚାର କରାଯାଉଛି ବୋଲି ଅମିତାଭ ବଚ୍ଚନ ଅଭିଯୋଗ ଆଣିଥିଲେ।

କୁହୁଳୁଥିବା ଏହି ସନ୍ଦେହରେ ଏବେ ପୁଣି ନିଆଁ ଲାଗିଛି ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମ ୨୦୨୪ରେ ଇଭେଣ୍ଟକୁ ନେଇ। ଏହି ଇଭେଣ୍ଟର ସ୍କ୍ରିନରେ ଐଶ୍ୱର୍ଯ୍ୟା ରାୟ ଲେଖାଯାଇଥିଲା। ତାଙ୍କ ଟାଇଟେଲରେ ‘ବଚ୍ଚନ’ ନଥିବା ଦେଖିବାକୁ ମିଳିଥିଲା। ୨୦୦୭ରୁ ନିଜ ନାଁରେ ବଚ୍ଚନ ଶବ୍ଦ ଯୋଡ଼ି ଆସୁଥିବା ଐଶ୍ୱର୍ଯ୍ୟା ହଠାତ ଏହାକୁ ହଟାଇଲେ କାହିଁକି? ସତରେ କ’ଣ ଅଭିଷେକ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଛି? ନା ଆୟୋଜକ ଲେଖିବାକୁ ଭୁଲି ଯାଇଛନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ସିନେପ୍ରେମୀଙ୍କ ମନରେ।

ଦୁବାଇରେ ଆୟୋଜିତ ଏହି ଇଭେଣ୍ଟରେ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଷ୍ଟେଜ ଉପରେ ସେ ଦର୍ଶକଙ୍କୁ ସମ୍ବୋଧନ କରୁଥିବାର ଏକ ଫଟୋ ଦେଖିବାକୁ ମିଳିଛି, ଯେଉଁଥିରେ କେବଳ ଐଶ୍ୱର୍ଯ୍ୟା ରାୟ ବୋଲି ଲେଖାଯାଇଛି। ସେ ମଞ୍ଚ ଉପରେ ସହଭାଗିତା, ଦୃଢ଼ସଙ୍କଳ୍ପର ଶକ୍ତି ଉପରେ ନିଜର ମତ ରଖିଥିଲେ।

Tags: #AishwaryaRai #Actress #BachchanFamily #Bollywood #Entertainment

LEAVE A REPLY

Please enter your comment!
Please enter your name here