ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶୁକ୍ରବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ତିନିଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଉଥିବାରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ଵର।
ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ମେଗା ସମ୍ମିଳନୀରେ ଯୋଗ ଦେବେ। ଏନଆଇଏ, ସିଆରପିଏଫ, ବିଏସଏଫ, ଆଇବି ଏବଂ ଏନଏସଜିର ୨୦୦ରୁ ଅଧିକ ବରିଷ୍ଠ ସୁରକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ଡିଜିପି ସମ୍ମିଳନୀକୁ କେନ୍ତ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିବେ।
ଡିଜିପି ସମ୍ମିଳନୀ ପାଇଁ ପୋଲିସ ଛାଉଁଣୀରେ ରହିଛି ପୂରା ରାଜଧାନୀ। ଏ ପଟେ ଡିଜିପି ସମ୍ମିଳନୀରେ ବାଧା ସୃଷ୍ଟି କରିବାକୁ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ(ଏସ୍ଏଫଜେ)ର ନେତା ଖଲିସ୍ତାନୀ ଉଗ୍ରବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଗୁରୁବାର ଦିନ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଟାଇଟ କରାଯାଇଛି।
ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଭୁବନେଶ୍ଵରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନଗୁଡ଼ିକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। ସହରରେ ବ୍ୟାପକ ପୋଲିସ ଫୋର୍ସ ସହ ୧୦ କମ୍ପାନି ବିଏସଏଫ, ସିଆରପିଏଫ ଓ କ୍ଵିକ୍ ରିଆକ୍ସନ ଟିମ୍ ମୁତୟନ କରାଯାଇଛି।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଏବଂ ନିଶା କାରଣ ଆଦି ପ୍ରମୁଖ ପ୍ରସଂଗରେ ତିନିଦିନ ଧରି ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଅତିଥିମାନଙ୍କୁ ସ୍ଵାଗତ ଏବଂ ସହାୟତା ଲାଗି ବିମାନ ବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ କରାଯିବା ସହ ଦୁଇଟି ହେଲ୍ପ ଡେସ୍କ ଖୋଲାଯାଇଛି। ରାଜ୍ୟ ଅତିଥି ଭବନରେ ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି।
Tags: #DGPConference #PMOIndia #OdishaVisit #Bhubaneswar #Odisha #TightSecuritySystem