ଓଡ଼ିଶାଲାଇଭ୍ ବ୍ୟୁରୋ

ଦମଦାର ଅଭିନୟ ବଳରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତା ବିକ୍ରାନ୍ତ ମ୍ୟାସିଙ୍କର ଏକ ଘୋଷଣା ଫ୍ୟନ୍ସଙ୍କୁ ହତାଶ କରିଛି। ସେ ଆଉ ଅଭିନୟ କରିବେ ନାହିଁ ବୋଲି ସୋମବାର ସୋସିଆଲ୍ ମିଡ଼ିଆରେ ଘୋଷଣା କରିଛନ୍ତି। ନିଜ କ୍ୟାରିଅରର ପିକରେ ପହଞ୍ଚିଥିବାବେଳେ ବିକ୍ରାନ୍ତ କାହିଁକି ଏପରି ଏମିତି ନିଷ୍ପତ୍ତି ନେଲେ ତାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି।

ବିକ୍ରାନ୍ତ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଲେଖିଛନ୍ତି, ‘ବିଗତ କିଛି ବର୍ଷ ଖୁବ ଭଲରେ କଟିଲା। ଆପଣଙ୍କର ଭଲପାଇବା, ସମର୍ଥନ, ସହଯୋଗ ପାଇଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କିନ୍ତୁ ଯେତେଯେତେ ଆଗକୁ ବଢୁଛି, ମୁଁ ଅନୁଭବ କରୁଛି ଏବେ ସମୟ ଆସିଛି, ନିଜକୁ ସମ୍ଭାଳିବାର ଏବଂ ଘରକୁ ଫେରିବାର।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ଏବେ ଜଣେ ଭଲ ସ୍ୱାମୀ, ଭଲ ବାପା ଏବଂ ଭଲ ପୁଅ ହେବା ଉପରେ ଅଧିକ ଧ୍ୟାନ ଦେବି। ଆସନ୍ତା ୨୦୨୫ରେ ଆମର ଶେଷ ଥର ପାଇଁ ଦେଖା ହେବ। ଶେଷ ଦୁଇଟି ଫିଲ୍ମ ଏବଂ ଅନେକ ବର୍ଷର ସ୍ମୃତି…ଏସବୁ ପାଇଁ ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ଏଥିପାଇଁ ମୁଁ ସବୁବେଳେ ଆପଣଙ୍କ ପାଖରେ ଋଣୀ ରହିବି।”

ବିକ୍ରାନ୍ତ ମ୍ୟାସି ବଲିଉଡର ଜଣେ ଲୋକପ୍ରିୟ ଅଭିନେତା। ଟିଭିରୁ ଆରମ୍ଭ କରି ଫିଲ୍ମ ଜଗତ ପର୍ଯ୍ୟନ୍ତ ସବୁଥିରେ ସେ ନିଜର ଛାପ ଛାଡ଼ି ଯାଇଛନ୍ତି। ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଟୁଏଲଥ୍ ଫେଲ’ ବିକ୍ରାନ୍ତଙ୍କୁ ରାତାରାତି ସୁପରଷ୍ଟାରର ପରିଚୟ ଦେଇଥିଲା। ୨୦୨୪ରେ ବି ବିକ୍ରାନ୍ତଙ୍କର ଅନେକ ଫିଲ୍ମ ରିଲିଜ ହୋଇଛି। ନିକଟରେ ଆସିଥିବା ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ଦର୍ଶକଙ୍କର ବେଶ ମନୋରଞ୍ଜନ କରିଥିଲା ।

‘ସାବରମତି ରିପୋର୍ଟ’ ଫିଲ୍ମର ପ୍ରମୋଶନ ସମୟରେ ବିକ୍ରାନ୍ତ କିଛି ବ୍ୟକ୍ତିଗତ କଥା ସେୟାର କରିଥିଲେ। ଏହି ଫିଲ୍ମକୁ ନେଇ ତାଙ୍କୁ ଧମକ ମିଳିଥିବା ସେ କହିଥିଲେ। ଏପରିକି ତାଙ୍କର ୯ମାସର ପୁଅକୁ ଧମକ ମିଳୁଥିବା ବି କହିଥିଲେ। କିଛି ଲୋକ ଚାହୁଁ ନ ଥିଲେ ଦ ସାବରମତୀ ରିପୋର୍ଟ ରିଲିଜ ହେଉ। ଯାହା ବି ହେଉ, ଏହି ଫିଲ୍ମକୁ ଖୁବ ସଫଳତା ମିଳିଥିଲା। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଏବଂ ଓଡ଼ିଶାରେ ଫିଲ୍ମ ଟ୍ୟାକ୍ସ ଫ୍ରି ହୋଇଥିଲା।

Tags: #VikrantMassey #Actor #Retirement #FilmLife #Bollywood

LEAVE A REPLY

Please enter your comment!
Please enter your name here