ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣଆଦିବାସୀ ଦଖଲ କରିପାରିବେ ନାହିଁ ଆଦିବାସୀଙ୍କ ଜମି। ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାକୁ ବେଆଇନ ଘୋଷଣା କରାଯିବ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀ ଆହୁରି କହିଛନ୍ତି, ଭୂ ସଂସ୍କାର ଆଇନ ୧୯୬୦ ଅନୁସାର କେହି ଆଦିବାସୀ ଜମି କିଣି ପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ ପ୍ରକ୍ରିୟା ଜରିଆରେ ଆଦିବାସୀଙ୍କୁ ସମ୍ପୃକ୍ତ ଜମି ଫେରାଇ ଦିଆଯିବ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ଯଦି କେହି ଅଣଆସିବାସୀ ଆଦିବାସୀଙ୍କ ଜମି କିଣିଥିବେ, ଉଚ୍ଛେଦ ପ୍ରକ୍ରିୟାରେ ସେସବୁ ଉଚ୍ଛେଦ କରାଯିବ। ଏହିପରି ୬୫୪ଟି ମାମଲା ବିଚାରାଧୀନ ରହିଛି। ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି ତାକୁ ମଧ୍ୟ ବେଆଇନ ଘୋଷଣା କରାଯିବ। ଏହିପରି ୮୮୧ଟି ମାମଲା ବିଚାରାଧୀନ ରହିଛି।
ସେହିପରି ଯଦି କେହି ଅଣଆଦିବାସୀ ଆଦବାସୀ ଜମି କିଣନ୍ତି ତେବେ ତାକୁ ମଧ୍ୟ ବେଆଇନ ଘୋଷଣା କରି ଫେରସ୍ତ କରାଯିବ। ଏହିପରି ୧୯,୬୯୦ଟି ମାମଲା ବିଚାରାଧୀନ ରହିଛି। ଏହି ମାମଲାଗୁଡ଼ିକର ବିଚାର କରିବାର କ୍ଷମତା ଜିଲ୍ଲାପାଳମାନଙ୍କୁ ଦିଆଯାଇଛି।
ଯଦି ଚଞ୍ଚକତା କରି କେହି ଆଦବାସୀଙ୍କ ଜମି ନେଇଥାନ୍ତି, ତେବେ ଏହାର ବିଚାର ପାଇଁ ଉପଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ଯଦି ବିଚାର ନହୁଏ ତେବେ ଉପଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରିପାରିବେ। ଏହିପରି ୧୨,୨୭୯ଟି ମାମଲା ବିଚାରାଧୀନ ରହିଥିବା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।
ଡିସେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରାଥମିକ ସ୍କୁଲରୁ ବିଶ୍ଵବିଦ୍ୟାଳୟ ଯାଏଁ ସମସ୍ତଙ୍କୁ ନିଜସ୍ଵ ଜମି ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #ScheduledTribes #Odisha #STLand #OdishaGovt #SureshPujari #OdishaAssembly