ପୁଷ୍ପମିତ୍ର ମହାନ୍ତି
ଜଣେ ମହିଳା ବିଚାରପତିଙ୍କୁ ପିଛା କରି ତାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଓକିଲଙ୍କ ନାମ ମହମ୍ମଦ ହାରୁନ ଓ ତାଙ୍କ ଘର ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ର ହାରୁନଙ୍କୁ ଦୋଷୀ ସାବ୍ୟସ୍ତ ଓ ତାଙ୍କ ଦଣ୍ଡାଦେଶ ବିରୋଧରେ ହୋଇଥିବା ଅପରାଧିକ ପୁନର୍ବିଚାର ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପୃଷ୍ଠଭୂମି
୨୦୨୨ ମସିହାରେ ହମିରପୁର ଜିଲ୍ଲା କୋର୍ଟରେ କାର୍ଯ୍ୟରତ ଜଣେ ମହିଳା ବିଚାରପତି ହାରୁନଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ମହିଳା ବିଚାରପତି ଜଣକ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ଚେମ୍ବରରୁ ବାହାରିବା ସମୟରେ ଅଭିଯୁକ୍ତ ହାରୁନ ତାଙ୍କର ପିଛା କରିଥିଲେ।
ପିଛା କରିବା ସମୟରେ ହାରୁନ ଅଶାଳୀନ ଯୌନ ମନ୍ତବ୍ୟ ଦେଉଥିଲେ ଏବଂ ବାରମ୍ବାର ତାଙ୍କୁ ଚାହିଁ ଥିଲେ। ଆଇପିସିର ଧାରା ୩୫୪-ସି ଏବଂ ୩୫୪-ଡି ଅନୁଯାୟୀ ହାରୁନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା।
ଏହି ମାମଲାର ହାରୁନଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ମାମଲାର ଶୁଣାଣି କରି ନିମ୍ନ ଅଦାଲତ ହାରୁନଙ୍କୁ ଆଇପିସିର ଏକାଧିକ ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ସେଗୁଡ଼ିକ ହେଲା –
- ଧାରା ୩୫୪: ଜଣେ ମହିଳାଙ୍କ ବିନମ୍ରତା ଉଲ୍ଲଂଘନ
- ଧାରା ୩୫୪ଏ(୪): ଯୌନ ନିର୍ଯାତନା
- ଧାରା ୩୫୪ଡି: ପିଛା କରିବା
- ଧାରା ୫୦୯: ଜଣେ ମହିଳାଙ୍କୁ ଅପମାନିତ କରିବା
- ଏଥିସହ ଜୋରିମାନା ଅର୍ଥ ପୈଠ କରିବାରୁ ଅତିରିକ୍ତ ୧୫ ଦିନ ଜେଲ୍ ଦଣ୍ଡାଦେଶ ହୋଇଥିଲା।
ଯୁକ୍ତି ଉପସ୍ଥାପିତ
ଆହ୍ଲାବାଦ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ହାରୁନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏହି ଅଭିଯୋଗ ଅତିରଞ୍ଜିତ। ସେ କହିଥିଲେ ହାରୁନ୍ କୌଣସି ଅନୁପଯୁକ୍ତ କଥା କହି ନାହାନ୍ତି କିମ୍ବା ଅଭିଯୋଗକାରୀଙ୍କ ସହିତ ବ୍ୟକ୍ତିଗତ ଯୋଗାଯୋଗରେ ନିୟୋଜିତ ନାହାନ୍ତି। ପ୍ରାଥମିକ ଅଭିଯୋଗ ଥିଲା ପିଛା କରିବା। ହାରୁନ୍ ଏକାଧିକ ଥର କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ତାଙ୍କ କାର୍ଯ୍ୟକୁ ଭୁଲ ଭାବରେ ବୁଝାଯାଇଛି। ତାଙ୍କ ଓକିଲ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ହାରୁନ୍ ତାଙ୍କ ଦଣ୍ଡର ଦୁଇ ବର୍ଷରୁ ଅଧିକ ସମୟ କାଟି ସାରିଛନ୍ତି। ଯାହା କି ସର୍ବାଧିକ ଦଣ୍ଡର ଅଧା ଅଟେ।
ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଜାମିନ ଆବେଦନକୁ ବିରୋଧ କରିଥିଲେ। ତେବେ ସେ ସ୍ୱୀକାର କରିଥିଲେ ଯେ ହାରୁନ୍ ଯଥେଷ୍ଟ ଜେଲ୍ ଦଣ୍ଡ ଭୋଗିଛନ୍ତି ଏବଂ ମାମଲାର ବ୍ୟାକଲଗ୍ କାରଣରୁ ଆବେଦନର ଶୀଘ୍ର ଶୁଣାଣି ସମ୍ଭବ ହୋଇନଥିଲା ।
ହାଇକୋର୍ଟଙ୍କ ରାୟ
ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତି, ଅପରାଧର ପ୍ରକୃତି ଏବଂ ହାରୁନ୍ ଜେଲରେ ବିତାଇଥିବା ସମୟକୁ ବିଚାରକୁ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ମାମଲା ରହୁଥିବାରୁ ଆଗୁଆ ଆବେଦନ ଶୁଣାଣି ଅସମ୍ଭବ ହୋଇପଡ଼ିଛି।
ଏହାକୁ ଦୃଷ୍ଟିରେ ରଖି ବିଚାରପତି ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ପରିମାଣର ଦୁଇଟି ଜାମିନ ଦାଖଲ କରି କୋର୍ଟ ହାରୁନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଡ଼ା ସର୍ତ୍ତ ମଧ୍ୟ ଜାରି କରିଛନ୍ତି। ସର୍ତ୍ତ ପାଳନ କରିବାରେ ବିଫଳ ହେଲେ ଜାମିନ ବାତିଲ ହୋଇପାରେ।
ଜାମିନ ପ୍ରଦାନ ଏବଂ ନ୍ୟାୟ ସୁନିଶ୍ଚିତ କରିବା ମଧ୍ୟରେ ଅଦାଲତମାନେ କେତେ ସନ୍ତୁଳନ ରଖିବା ଆବଶ୍ୟକ ତାହା ଏହି ନିଷ୍ପତ୍ତିରେ ଦର୍ଶାଯାଇଛି। ହାରୁନଙ୍କ ଆଇନଗତ ଲଢ଼େଇ ଜାରି ରହିଥିବାବେଳେ ଏହି ମାମଲା ନ୍ୟାୟିକ ଅଧିକାରୀ, ବିଶେଷକରି ମହିଳାମାନେ ନିର୍ଯାତନାର ମୁକାବିଲା କରିବା ଏବଂ ଆଇନ ବ୍ୟବସ୍ଥା ମଧ୍ୟରେ ଉତ୍ତରଦାୟିତ୍ଵ ସୁନିଶ୍ଚିତ କରିବାରେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଦର୍ଶାଉଛି।
Tags: #AllahabadHighcourt #BailPetition #Lawyer #Uttarpradesh