ପୁଷ୍ପମିତ୍ର ମହାନ୍ତି
ଭୁଲ ବାଟ ଦେଖାଇ ଭରସା ହରାଉଛି ଗୁଗଲ୍ ମ୍ୟାପ।
ଜିପିଏସ୍ ନେଭିଗେସନର ଭୁଲ ମାର୍ଗଦର୍ଶନ ପାଇଁ ହଇରାଣ ହରକତ ହେଉଛନ୍ତି ଯାତ୍ରୀ। ଏହା ଉପରେ ଭରସା କରିବାକୁ ଏବେ ଲୋକଙ୍କ ମନରେ ଡର ଆସିଲାଣି। କାରଣ ଗୁଗଲ୍ ମ୍ୟାପର ଭୁଲ ମାର୍ଗଦର୍ଶନ ଯୋଗୁଁ ଚାରିଜଣ ପର୍ଯ୍ୟଟକଙ୍କୁ ଜଙ୍ଗଲ ଭିତରେ ହଟହଟା ହେବାକୁ ପଡ଼ିଛି। କର୍ଣ୍ଣାଟକର ବେଲଗାମ ଜିଲ୍ଲା ଖାନାପୁର ତାଲୁକ ଅନ୍ତର୍ଗତ ମାଡ଼ିଗୁଞ୍ଜିଠାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ପରିସ୍ଥିତି।
ଗୁଗଲ ମ୍ୟାପ ଦେଖି ଦେଖି ଯାତ୍ରା କରୁଥିବା ୪ଜଣ ପର୍ଯ୍ୟଟକ ପଶ୍ଚିମ ଘାଟର ଘଞ୍ଚ ଜଙ୍ଗଲ ଭିତରେ ଫସି ରହିଥିଲେ।
୪ ଜଣ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶରୁ ଏକ କାର ଯୋଗେ ଗୋଆ ଯାଉଥିଲେ। ଗୁଗଲ୍ ମ୍ୟାପ ଦେଖି ଦେଖି ସେମାନେ ଗୋଆ ବାହାରି ଥିଲେ। ବିଳମ୍ବିତ ରାତିରେ କର୍ଣ୍ଣାଟକର ପଶ୍ଚିମ ଘାଟ ଘଞ୍ଚ ଜଙ୍ଗଲରେ ସେମାନେ ପଶିଥିଲେ। ତେବେ ପ୍ରାୟ ୧୦ କିଲୋମିଟର ଜଙ୍ଗଲ ଭିତରକୁ ଯାଇ କାରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଜଙ୍ଗଲ ଭିତରେ ମୋବାଇଲ ନେଟୱାର୍କ ଚାଲିଯାଇଥିବାରୁ ପର୍ଯ୍ୟଟକଙ୍କ ସମସ୍ୟା ଆହୁରି ବଢ଼ିଯାଇଥିଲା। କୌଣସି ବିକଳ୍ପ ନଥିବାରୁ କାର୍ ଭିତରେ ସମସ୍ତଙ୍କୁ ରାତି ବିତାଇବାକୁ ପଡ଼ିଥିଲା। ପରେ ସ୍ଥାନୀୟ ପୋଲିସ ସେମାନଙ୍କୁ ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର କରିଥିଲା।
ଭରସା ହରାଉଛି ଗୁଗଲ୍ ମ୍ୟାପ
ଭରସା ହରାଇବାକୁ ଲାଗିଛି ଗୁଗଲ୍ ମ୍ୟାପ। ଭୁଲ ମାର୍ଗଦର୍ଶନ ଯୋଗୁଁ ହଇରାଣ ହରକତ ହେଉଛନ୍ତି ଯାତ୍ରୀ। ବାରମ୍ବାର ଗୁଗଲ୍ ମ୍ୟାପ ଯୋଗୁଁ ଅନେକ ଯାତ୍ରୀ ବିପଦର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନିକଟରେ ଅନ୍ୟ ଏକ ଅଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ। ଗୁଗଲ୍ ମ୍ୟାପ ଦେଖି ଯାତ୍ରା କରିବା ବେଳେ ୨୦ ଫୁଟ ତଳକୁ ଖସି ପଡ଼ିଥିଲା ଗୋଟିଏ କାର। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ବଦାୟୁନର ଦାତାଗଞ୍ଜରୁ ଫରିଦପୁରକୁ ସଂଯୋଗ କରୁଥିବା ଏହି ରାସ୍ତା ଅସମ୍ପୂର୍ଣ୍ଣ ପୋଲ ଉପରେ ଶେଷ ହୋଇଥିଲା। ପ୍ରତିବନ୍ଧକ କିମ୍ବା ଚେତାବନୀ ଫଳକ ଅଭାବରୁ ଚାଳକ ମଧ୍ୟ ବିପଦ ଆଶଙ୍କା କରିପାରି ନଥିଲେ। ଗୁଗଲ ମାର୍ଗଦର୍ଶନରେ ଆଗକୁ ବଢ଼ିଥିଲେ। ଫଳରେ ଦୁର୍ଘଟଣା ଯୋଗୁଁ କାରରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।
ଏହି ଦୁର୍ଘଟଣା ପାଇଁ ଗୁଗଲ୍ ମ୍ୟାପରେ ଥିବା ତ୍ରୁଟି ଓ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି)ର ଅବହେଳାକୁ ଦାୟୀ କରାଯାଇଥିଲା। ଦାୟିତ୍ଵରେ ଅବହେଳା କାରଣରୁ ୫ ଜଣ ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ସହ ଗୁଗଲ ମ୍ୟାପକୁ ନୋଟିସ ଜାରି କରିଛି ବରେଲି ପୋଲିସ।
ସମଗ୍ର ଭାରତରେ ସମାନ ଘଟଣା
ସମଗ୍ର ଭାରତରେ ଏଭଳି ଘଟଣା ନୂଆ ନୁହେଁ। ୨୦୨୩ରେ କେରଳରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା। ଗୁଗଲ୍ ମ୍ୟାପ ଦେଖି ବିଳମ୍ବିତ ରାତିରେ କାର ଯୋଗେ ସେମାନେ ଫେରୁଥିବାବେଳେ ପେରିଆର ନିକଟରେ ଥିବା ଏକ ନଦୀକୁ ଖସି ପଡ଼ିଥିଲେ। ଫଳରେ ଦୁଇଜଣ ଡାକ୍ତରଙ୍କର ଜୀବନ ଚାଲିଯାଇଥିଲା।
ନିରାପତ୍ତା ବ୍ୟବସ୍ଥା ବଢ଼ାଇବାକୁ ଆହ୍ଵାନ
ଏପରି ଅଘଟଣକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଉଭୟ ଅନ୍ ଗ୍ରାଉଣ୍ଡ ଏବଂ ଡିଜିଟାଲ ନେଭିଗେସନ ସିଷ୍ଟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି। ବିପଜ୍ଜନକ ଅଞ୍ଚଳରେ କର୍ତ୍ତୃପକ୍ଷ ସ୍ପଷ୍ଟ ଚେତାବନୀ ଓ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କୁହାଯାଉଛି। ଏଥିସହିତ ନେଭିଗେସନ ପ୍ଲାଟଫର୍ମଗୁଡ଼ିକ ସଠିକତାରେ ଉନ୍ନତି ଆଣିବା ସହ ଅସମ୍ପୂର୍ଣ୍ଣ ରାସ୍ତା କିମ୍ବା ବିପଜ୍ଜନକ ମାର୍ଗ ପାଇଁ ରିୟଲ୍ ଟାଇମ୍ ଆଲର୍ଟ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଅନ୍ୟ ପକ୍ଷରେ ଜିପିଏସ୍ ଜନିତ ଦୁର୍ଘଟଣା ବଢ଼ୁଥିବାରୁ ଯାତ୍ରୀମାନଙ୍କୁ ଏ ଦିଗରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ମାର୍ଗ ଯାଞ୍ଚ କରିବା ଏବଂ ସତର୍କ ରହିବା ଦ୍ୱାରା ଅଘଟଣକୁ ଏଡ଼ାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞଙ୍କ ମତ।
Tags: #GoogleMaps #Accident #Death #Technology #WrongDirection