ପୁଷ୍ପମିତ୍ର ମହାନ୍ତି
ରାଜନୈତିକ ଦଳର ସକ୍ରିୟ ସଦସ୍ୟମାନେ ବାର୍ ଆସୋସିଏସନର ନିର୍ବାଚନ ଲଢ଼ି ପାରିବେ। ସେମାନଙ୍କୁ ଏପରି ନିର୍ବାଚନ ଲଢ଼ିବାକୁ ବାରଣ କରିବା ପାଇଁ କୌଣସି ଆଇନ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏପରି ଆଇନ ପ୍ରଣୟନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ଵଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଜୟା ସୁକିନଙ୍କ ଦ୍ଵାରା ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜନୈତିକ ଦଳର ସଦସ୍ୟମାନଙ୍କୁ ବାର୍ ଆସୋସିଏସନର ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯାଇଥିଲା।
ସାମ୍ବିଧାନିକ ନୀତିକୁ ଅନୁସରଣ କଲେ ଗଣତନ୍ତ୍ରର ବିବିଧ ବିଚାରଧାରା ଉପରେ ନିର୍ଭର କରିବାକୁ ପଡ଼େ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, “ଗଣତନ୍ତ୍ରରେ ସବୁବେଳେ ଭିନ୍ନ ଭିନ୍ନ ବିଚାରଧାରାର ସୁଯୋଗ ରହିଥାଏ, କିନ୍ତୁ ତାହା ସମ୍ବିଧାନ ଅନୁଯାୟୀ ହେବା ଦରକାର।”
ଖଣ୍ଡପୀଠ ଆବେଦନକାରୀଙ୍କ ଆବେଦନକୁ ଦୃଢ଼ତାର ସହ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ ବାର୍ ଆସୋସିଏସନ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ସଂପୃକ୍ତି ଉପରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।
ଆଇନଜୀବୀଙ୍କ ଉଦାହରଣ
ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାଜନୈତିକ ସଂପୃକ୍ତି ଥିବା ବିଶିଷ୍ଟ ଆଇନଜୀବୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, “ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ ସଂସଦର ସକ୍ରିୟ ସଦସ୍ୟ ଥିବାବେଳେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଭଳି ପ୍ରମୁଖ ପଦବୀରେ ରହିଥିଲେ।”
ଖଣ୍ଡପୀଠ ଆବେଦନକାରୀଙ୍କ ଦାବିର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ କହିଥିଲେ, “ବାରର ଜଣେ ପଦାଧିକାରୀଙ୍କର ରାଜନୈତିକ ବିଚାରଧାରା ରହିବା କୌଣସି ଭୁଲ୍ କଥା ନୁହେଁ। ଜେଠମଲାନୀଙ୍କ ଭଳି ବହୁ ମେଧାବୀ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କ ମତ ଓ ଅବଦାନରୁ ଦେଶ ବଞ୍ଚିତ ରହିବା ଠିକ୍ ହେବ ନାହିଁ।”
ଶୁଣାଣି ସମୟରେ ଖଣ୍ଡପୀଠ ଆବେଦନକାରୀଙ୍କ ଉଦ୍ଦେଶ୍ୟ ଉପରେ ଅଧିକ ଅନୁସନ୍ଧାନ କରିଥିଲେ। କପିଲ ସିବଲଙ୍କୁ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ପଦରୁ ହଟାଇବାକୁ ଚାହୁଁଛନ୍ତି କି? ରାଜ୍ୟସଭା ସଦସ୍ୟ ମନନ କୁମାର ମିଶ୍ରଙ୍କୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ପଦରୁ ହଟାଇବାକୁ ଚାହୁଁଛନ୍ତି କି? ବୋଲି ଅଦାଲତ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ।
ସର୍ବୋଚ୍ଚ ଅଦାଲତ ଦୋହରାଇଥିଲେ, “ଏକ ରାଜନୈତିକ ଦଳ ସହ ଜଡ଼ିତ ହେବା ଜଣେ ଓକିଲଙ୍କୁ ବାର୍ ଆସୋସିଏସନର ପଦବୀରେ ରହିବାକୁ ଅଯୋଗ୍ୟ ଘୋଷଣା କରେ ନାହିଁ। ରାଜନୈତିକ ଦଳମାନଙ୍କ ସହ ମିଶିବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆମେ ଭାବୁନାହୁଁ।’’
ଆବେଦନର ଶୁଣାଣି ପାଇଁ ଅଦାଲତଙ୍କ ଅନିଚ୍ଛା ଅନୁଭବ କରି ଆବେଦନକାରୀଙ୍କ ଓକିଲ ଏହି ମାମଲାକୁ ଆଇନ କମିଶନଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ତେବେ ଖଣ୍ଡପୀଠ ଏଭଳି କୌଣସି ଆଦେଶ ଦେବେ ନାହିଁ ବୋଲି କହି ମନା କରିଦେଇଥିଲେ।
ତେବେ ଜନସ୍ୱାର୍ଥ ମାମଲା ପ୍ରତ୍ୟାହାର କରିବାକୁ କୋର୍ଟ ଆବେଦନକାରୀଙ୍କୁ ଅନୁମତି ଦେଇଛନ୍ତି।
ଏକ ଗଣତାନ୍ତ୍ରିକ ଦୃଷ୍ଟିକୋଣ
ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ନୀତିକୁ ବଜାୟ ରଖିବା ନେଇ ନ୍ୟାୟପାଳିକାର ଆଭିମୁଖ୍ୟକୁ ଏହି ରାୟ ଦୋହରାଇଛି। ରାଜନୈତିକ ବିଚାରଧାରା ବାର୍ ନିର୍ବାଚନରେ ଅଂଶଗ୍ରହଣରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ଗୁରୁତ୍ୱାରୋପ କରି ସର୍ବୋଚ୍ଚ ଅଦାଲତ ଆଇନ ବୃତ୍ତିର ଅନ୍ତର୍ଭୁକ୍ତୀକରଣ ଏବଂ ଗତିଶୀଳତାକୁ ସୁଦୃଢ଼ କରିଛନ୍ତି।
ଏହି ନିଷ୍ପତ୍ତି ରାଜନୈତିକ ଭାବରେ ସଂପୃକ୍ତ ଆଇନଜୀବୀଙ୍କ ଅବଦାନକୁ ନ୍ୟାୟପାଳିକାର ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଛି। ସେମାନଙ୍କ ସ୍ୱର ଆଇନଗତ ଏବଂ ରାଜନୈତିକ ଦୃଶ୍ୟପଟକୁ ସମୃଦ୍ଧ କରିବା ଜାରି ରଖିବ।
Tags: #BarAssociation #Election #Politics #Law #SupremeCourt #India