ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ସହ ସେମାନଙ୍କ ଦକ୍ଷତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ବିଜ୍ଞାନ ମେଳା ପ୍ରଦର୍ଶନୀକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ।
ପରେ ବିଜ୍ଞାନ ମେଳା (ଗ୍ରୁପ୍), ବିଜ୍ଞାନ ମେଳା (ଏକାକୀ), ପଦ୍ୟ, ଚିତ୍ରକଳା, ମୋବାଇଲ ଫଟୋଗ୍ରାଫି, ଔପଚାରିକ ବକ୍ତୃତା, ଦଳଗତ ଲୋକନୃତ୍ୟ, ଏକାକୀ ଲୋକନୃତ୍ୟ, ଦଳଗତ ଲୋକ ସଙ୍ଗୀତ, ଏକାକୀ ଲୋକ ସଙ୍ଗୀତ, ଗଳ୍ପ ଲିଖନ ଆଦି ୧୧ଟି ବର୍ଗରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ଯୁବ ଅଧିକାରୀ ଏମ ବିଘ୍ନେଶ, ଆଇପିଇ ଅଶୋକ କୁମାର ନାୟକ ଓ ପ୍ରୋଗ୍ରାମ ଅଫିସର ଏନଏସଏସ ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #DistrictLevelYouthFestival2024 #Balasore #NehruYuvaSangathan #Odisha #DistrictAdministration