ଓଡ଼ିଶାଲାଇଭ୍ ବ୍ୟୁରୋ

(ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ‘ଦୋ-ଛକିରେ ଗଣମାଧ୍ୟମ’ ଏବଂ ‘ଡିଜିଟାଲ ଯୁଗରେ ଗଣମାଧ୍ୟମରେ ଆହ୍ୱାନ’ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗର ଭୂମିକା ଏବଂ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିବା ସହ ନିଜ କାମ ପ୍ରତି ସମର୍ପଣ ଜଣକୁ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ ବୋଲି କହିଥିଲେ।

ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା ଯୋଗଦେଇ ଘଟଣାର ଗଭୀରତାକୁ ଯାଇ ଖବର ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

‘ସକାଳ’ର ବ୍ରହ୍ମପୁର ସଂସ୍କରଣରର ମୁଖ୍ୟ ତଥା ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ ଖବର ପରିବେଷଣ କରିବା ସମୟରେ ଏହାର ସତ୍ୟାସତ୍ୟାକୁ ବିଭିନ୍ନ ଦିଗରୁ ଯାଞ୍ଚ କରିବାର ଆବଶ୍ୟକତା ରହିଥିବା ନେଇ ଗୁରୁତ୍ୱାରୋପ କରିଥିଲେ।

ଆଲୋଚନାଚକ୍ରରେ ଈଟିଭି ଭାରତର ବରିଷ୍ଠ ସମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଖବର ସଂଗ୍ରହର ପୂର୍ବର କାର୍ଯ୍ୟଶୈଳୀ ଏବଂ ଡିଜିଟାଲ ଯୁଗରେ କାର୍ଯ୍ୟଧାରା ଭିନ୍ନ ରହିଥିଲେ ମଧ୍ୟ ଲକ୍ଷ୍ୟ ସବୁବେଳେ ଗୋଟିଏ। ବର୍ତ୍ତମାନର ସମୟରେ ଆସୁଥିବା ଖବରର ସତ୍ୟତା ଅନୁଧ୍ୟାନ କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ପ୍ରାକ୍ତନ ପ୍ରଫେସର ବେଣୁଧର ପଣ୍ଡା, ସମାଜର ପ୍ରତିନିଧି ତଥା ବରିଷ୍ଠ ସାମ୍ୱାଦିକ ରାଜୀବ ଲୋଚନ ମିଶ୍ର, ଧରିତ୍ରୀ ପ୍ରତିନିଧି ସୁବାସ ଚନ୍ଦ୍ର ପାଢ଼ୀ, ଇନାଡୁର ପ୍ରତିନିଧି ଏନ୍ ନାଗଭୂଷଣ, ନାରାୟଣ ମହାକୁଡ଼, ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ବିଭାଗୀୟ ପ୍ରଫେସର ଗଣେଶ ସେଠୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

ସେହିପରି କାର୍ଯ୍ୟକ୍ରମ ସମ୍ପାଦକ ମଣ୍ଡଳୀ ଡକ୍ଟର ନେହା ପାଣ୍ଡେ ଓ ଡକ୍ଟର ଚିନୁ ବୋହିଦାର, ଅଧ୍ୟାପକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଅଗ୍ନି କୁମାର ବେହେରା, ସୌରଭ ପ୍ରକାଶ, କିଟ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ବିଦୁଭୂଷଣ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ‘ଦୋଛକିରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ବହୁ ବିଶାରଦ ଓ ଗବେଷକମାନେ ଯୋଗଦାନ କରି ନିଜର ଗବେଷଣା ବିଷୟକୁ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପ୍ରାକ୍ତନ ପ୍ରଫେସରମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ତିନିଦିନ ଧରି ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ସଫଳ ରୂପାୟନ ପାଇଁ କୁଳପତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଶେଷରେ ଛାତ୍ର ଶ୍ଵାସ୍ତି ସୁନ୍ଦର ସିୟା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #BerhampurUniversity #GoldenJubileeCelebration #MJMCDepartment #Berhampur #Odisha

LEAVE A REPLY

Please enter your comment!
Please enter your name here