ପ୍ରଣତି ପରିଡ଼ା

“Let’s Talk Periods – ଏହା କେବଳ ତିନୋଟି ଶବ୍ଦ ନୁହେଁ। ଏହି ଖଣ୍ଡବାକ୍ୟ ଭିତରେ ଅସଲରେ ରହିଛି ସଚେତନତାର ଏକ ଗୂଢ଼ ବାର୍ତ୍ତା। ଏହି ବାର୍ତ୍ତା କେବଳ କିଶୋରୀ ବାଳିକା ବା ମହିଳାମାନଙ୍କ ପାଇଁ ନୁହେଁ, ବରଂ ସମାଜର ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ”, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁବ ଜନସ୍ୱାସ୍ଥ୍ୟ କର୍ମଶାଳା – ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’ ରେ ଯୋଗଦେଇ ଏହା କହିଛନ୍ତି ‘ଆଇଏଫଆଇ ଫାଉଣ୍ଡେସନ’ ର ସହଅଧ୍ୟକ୍ଷା ତଥା ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଅଭିଯାନର ଅଧ୍ୟକ୍ଷା ପ୍ରଣତି ପରିଡ଼ା।
ପ୍ରଣତି ପରିଡ଼ା ଆହୁରି କହିଛନ୍ତି, “ଛାତ୍ରଛାତ୍ରୀମାନେ ହେଉଛନ୍ତି ପରିବର୍ତ୍ତନର ବାର୍ତ୍ତାବହ। ତେଣୁ, ଆପଣମାନଙ୍କ ପାଇଁ ଏହି ବିଶେଷ କାର୍ଯ୍ୟକ୍ରମ – ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’ କର୍ମଶାଳାର ଆୟୋଜନ କରାଯାଇଛି।”
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇ ଆଇଏଫ ଆଇ ଫାଉଣ୍ଡେସନର ସହଅଧ୍ୟକ୍ଷା ପ୍ରଣତି ପରିଡ଼ା କହିଥିଲେ, ଆଇଏଫଆଇ ଫାଉଣ୍ଡେସନର ବିଶ୍ୱବିଦ୍ୟାଳୟ ସହିତ ନିକଟରେ ଯେଉଁ ଏମଓୟୁ ସ୍ୱାକ୍ଷର ହୋଇଥିଲା ଆଜିର କାର୍ଯ୍ୟକ୍ରମ ହେଉଛି ତାହାର ପ୍ରଥମ ଅମଳ। ଏଥିପାଇଁ ସେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ପୂରା ଟିମକୁ ଆଇଏଫଆଇ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ବିଶେଷ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ସେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହ ଉପସ୍ଥିତ ସାମ୍ବାଦିକତା ବିଭାଗ ସହ ବିଭିନ୍ନ ବିଭାଗର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ତଥା ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାମାନଙ୍କୁ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଚାଲ ପିରିୟଡ୍ସ ବିଷୟରେ କଥା ହେବା ଅଭିଯାନର ଅଧ୍ୟକ୍ଷା ପ୍ରଣତି ପରିଡ଼ା ଅଭିନନ୍ଦନ ଜଣାଇଥିଲେ।

ନିଜ ଅଭିଭାଷଣରେ ପ୍ରଣତି ପରିଡ଼ା କହିଥିଲେ, ମାସିକ ୠତୁସ୍ରାବ ବା ପିରିୟଡ୍ସ ଜଣେ ମହିଳା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ, ଏହା ସ୍ୱାଭାବିକ ନୁହେଁ, ଏଇଥିପାଇଁ ଯେ, ଏହା ସହିତ ତା’ର ସ୍ୱାସ୍ଥ୍ୟ, ତା’ ପରିବାର, ତା’ ସ୍ୱପ୍ନ ଏବଂ ଭବିଷ୍ୟତ ସବୁକିଛି ଯୋଡ଼ି ହୋଇ ରହିଛି। ଦୁର୍ଭାଗ୍ୟର କଥା ଆଜି ବି ସମାଜରେ ଅନେକ କିଶୋରୀ ବାଳିକା ବା ମହିଳା ୠତୁସ୍ରାବକୁ ନେଇ ଲଜ୍ଜା, ବାସନ୍ଦ ଏବଂ ନାନା ପ୍ରକାରର ପ୍ରତିବନ୍ଧକ ବା ଭେଦଭାବର ଶିକାର ହେଉଛନ୍ତି। ୠତୁସ୍ରାବ, ଯାହା ଜଣେ ନାରୀର ନୂତନ ସୃଷ୍ଟି ଲାଗି ଏକ ସମ୍ଭାବନା, ଅନେକ ସମୟରେ ତାହା ଜଣେ ମହିଳାର ସମ୍ମାନ ଓ ବିକାଶ ବଦଳରେ ତା’ର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଦିଗରେ ବାଧକ ସାଜୁଛି।
ତେଣୁ, ଏ ସମ୍ପର୍କରେ ଥିବା ସମସ୍ତ ଭ୍ରାନ୍ତ ଧାରଣା, ଅନ୍ଧବିଶ୍ୱାସ, ସାମାଜିକ କୁସଂସ୍କାର ଏବଂ କୌଣସି ପ୍ରକାର ଭେଦଭାବକୁ ଦୂର କରି ଆସନ୍ତାକାଲିର ପୃଥିବୀକୁ ୠତୁସ୍ରାବ ସ୍ୱଚ୍ଛତା ଓ ସୁସ୍ଥତା ଦୃଷ୍ଟିରୁ ପ୍ରତ୍ୟେକ ନାରୀ ପାଇଁ ଅନୁକୂଳ କରିବାକୁ ଡାକରା ଦିଆଯାଉଛି। ଏହି ଆହ୍ୱାନର ଏକ ରୂପରେଖ ହେଉଛି ପ୍ରତିବର୍ଷ ମେ’ ୨୮ରେ ସାରା ପୃଥିବୀରେ ପାଳନ କରାଯାଉଥିବା – ୠତୁସ୍ରାବ ସ୍ୱଚ୍ଛତା ଦିବସ ବା ମେନଷ୍ଟ୍ରୁଆଲ୍ ହାଇଜିନ୍ ଡେ’। ଏହି ଦିବସ ପ୍ରାୟ ୧୧ ବର୍ଷ ତଳେ ଆରମ୍ଭ କରିଥିଲେ ଏକ ଅନ୍ତର୍ଜାତୀୟ ସାମାଜିକ ସଂଗଠନ – ୱାସ୍ ୟୁନାଇଟେଡ୍।
ଆନନ୍ଦର କଥା ଯେ, ଗୋଟିଏ ଦଶନ୍ଧି ଭିତରେ ମେନଷ୍ଟ୍ରୁଆଲ୍ ହାଇଜିନ୍ ଡେ’ ଅଭିଯାନ ଏକ ବ୍ୟାପକ ଆନ୍ଦୋଳନରେ ପରିଣତ ହୋଇପାରିଛି। ଆଇଏଫଆଇ ଫାଉଣ୍ଡେସନ ଏହି ଅନ୍ତର୍ଜାତୀୟ କ୍ୟାମ୍ପେନ’ର ‘ଅଫିସିଆଲ ପାର୍ଟନର’ ମାନ୍ୟତା ପାଇଛି।
ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ଏବଂ ଓଡ଼ିଶାଲାଇଭ୍ ସହିତ ମିଶି ତିନି ବର୍ଷ ତଳେ ଏହି ସଚେତନତା ଅଭିଯାନ ଆରମ୍ଭ କରିଥିଲା। ଆଜି ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ସଫଳ ରୂପ ନେଇପାରିଛି। ବିଶେଷକରି, ଆମେ ଡିଜିଟାଲ ମିଡିଆ ମାଧ୍ୟମରେ ୠତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଡାକ୍ତରମାନଙ୍କ ପରାମର୍ଶ, ମହିଳାମାନଙ୍କ ପ୍ରଥମ ୠତୁସ୍ରାବ ଅନୁଭୂତି, ବିଭିନ୍ନ ସାମାଜିକ ଆହ୍ୱାନ ତଥା ୠତୁସ୍ରାବଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଦି ବିଷୟରେ ସୂଚନାଧର୍ମୀ ଭିଡିଓ ପ୍ରସାରଣ କରି ଆସୁଛୁ। ଏହାଫଳରେ ଆଜି ଓଡ଼ିଆ ଭାଷାରେ ସୋସିଆଲ ମିଡିଆରେ ମେନଷ୍ଟ୍ରୁଆଲ୍ ହାଇଜିନ୍ ସମ୍ପର୍କରେ ଉପଯୋଗୀ ଭିଡିଓର ଆଉ ଅଭାବ ରହିନାହିଁ। ବିଶେଷକରି, ଏହି ଭିଡିଓ ୠତୁସ୍ରାବ ସମ୍ପର୍କରେ ଡିଜିଟାଲ ମିଡିଆରେ ପ୍ରସାରିତ ମିସ୍ ଇନଫରମେସନର ମୁକାବିଲା କରିବାରେ ସହାୟକ ହୋଇପାରିଛି।
ଡିଜିଟାଲ ମିଡିଆରେ ବ୍ୟାପକ କଣ୍ଟେଣ୍ଟ ପ୍ରସାରଣ କରିବା ସହିତ ଯୁବପିଢ଼ିଙ୍କୁ ଯୋଡ଼ି ସିଧାସଳଖ ବାର୍ତ୍ତାଳାପ କରିବା – ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଅଭିଯାନର ଆଉ ଏକ ଲକ୍ଷ୍ୟ। ଆମ ଫୋକସରେ ଯୁବପିଢ଼ି ଏଇଥିପାଇଁ ଯେ, ସେମାନଙ୍କ ହାତରେ ଆସନ୍ତାକାଲିର ଭାଗ୍ୟ। ଏମଏଚ ଡେ’ ଅଭିଯାନର ଥିମ୍ ରହିଛି – ‘ଟୁଗେଦର ଫର୍ ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’। ଅର୍ଥାତ୍ ଆମ ପୃଥିବୀକୁ ୠତୁସ୍ରାବ ସ୍ୱଚ୍ଛତା ଦୃଷ୍ଟିରୁ ଅନୁକୂଳ କରିବାରେ ଆମ ସମସ୍ତଙ୍କର ଭୂମିକା ରହିଛି। ମହିଳାମାନଙ୍କର ଯେତିକି, ପୁରୁଷମାନଙ୍କର ସେତିକି। ଝିଅମାନଙ୍କର ଯେତିକି, ପୁଅମାନଙ୍କର ବି ସେତିକି।

ଏଇଥିପାଇଁ ଆଜିର ଏହି ଜନସ୍ୱାସ୍ଥ୍ୟ କର୍ମଶାଳାର ଥିମ୍ ରହିଛି – ‘ରୋଲ୍ ଅଫ୍ ୟୁଥ୍ ଫର୍ ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’। ତେଣୁ, ଆମେ ଯଦି ଆମ ଘରେ, ଆମ ସାଙ୍ଗସାଥୀ ମହଲରେ, କ୍ଲାସରୁମରେ ବା ଅଫିସରେ ପୁଅ ଓ ଝିଅମାନେ ବା ପୁରୁଷ ଓ ମହିଳାମାନେ ଏକାଠି ଏ ସମ୍ପର୍କରେ କଥା ହୋଇପାରିବା ତା’ହେଲେ ୠତୁସ୍ରାବ ଆଉ କେବଳ ମହିଳାମାନଙ୍କର ‘ବ୍ୟକ୍ତିଗତ ବିଷୟ’ ନହୋଇ ଏକ ‘ସାମାଜିକ ବିଷୟ’ ହୋଇପାରିବ ବୋଲି ପ୍ରଣତି ପରିଡ଼ା କହିଥିଲେ।
ସେ କହିଥିଲେ, “ବିଶ୍ୱକୁ ୠତୁସ୍ରାବ ଅନୁକୂଳ କରିବା ପାଇଁ ସବୁଠୁ ବଡ଼ ଦାୟିତ୍ୱ ଆପଣଙ୍କ ଭଳି ଯୁବ ଗୋଷ୍ଠୀର।”
ସେ ଆହୁରି କହିଥିଲେ, ଋତୁସ୍ରାବ କ’ଣ ଓ କାହିଁକି ହୁଏ, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାହିଁକି ଜରୁରୀ, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ଆଦି ବିଷୟରେ ଆପଣମାନେ ଆଜି ଭିଡିଓରେ ଦେଖିଲେ। ଏ ବିଷୟରେ ଡାକ୍ତରମାନଙ୍କର ପରାମର୍ଶ, ସାମାଜିକ କର୍ମୀଙ୍କ ପ୍ରଶ୍ନ, ସେଲିବ୍ରିଟିଙ୍କ ଅନୁଭୂତି – ସବୁ କଥା ରହିଥିଲା। ମେନାର୍କିରୁ ମେନୋପଜ୍ – ଜଣେ ନାରୀର ୠତୁସ୍ରାବଜନିତ ଯାତ୍ରା ବିଷୟରେ ଆପଣମାନେ ନିଶ୍ଚିତ ଭାବରେ କିଛି ନୂଆ କଥା ଜାଣିବାକୁ ପାଇଥିବେ।
ଏ ବିଷୟରେ ଅଧିକ ଜାଣିବା ପାଇଁ ଇଣ୍ଟରନେଟ୍ ରହିଛି। ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲରେ ଆପଣମାନେ ଅନେକ ଭିଡିଓ ପାଇପାରିବେ। ଆଜି ଯେଉଁ ସୂଚନା ପୁସ୍ତିକା ଉନ୍ମୋଚିତ ହେଉଛି ତା’ର ଶେଷ ପୃଷ୍ଠାରେ ରହିଛି ଆଜି ପ୍ରଦର୍ଶିତ ଭିଡିଓର ଲିଙ୍କ୍। କ୍ୟୁଆର କୋଡ୍ ସ୍କାନ କରି ଆପଣମାନେ ଏହି ଭିଡିଓ ଦେଖିପାରିବେ ଏବଂ ଅନ୍ୟମାନଙ୍କ ସହ ଏହି ଲିଙ୍କ୍ ମଧ୍ୟ ସେୟାର କରିପାରିବେ।

ଆଜି ପୃଥିବୀର ୧୮୦ କୋଟିରୁ ଅଧିକ କିଶୋରୀ ଓ ମହିଳା ମାସିକ ୠତୁଚକ୍ର ପାଳନ କରୁଛନ୍ତି। ହିସାବକଲେ ଜଣେ ମହିଳାଙ୍କ ଜୀବନର ପ୍ରାୟ ୭ ବର୍ଷ ସମୟ ଏହି ୠତୁସ୍ରାବ ଭିତରେ କଟିଥାଏ। ତେଣୁ, ୠତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଶିକ୍ଷା, ଆଧୁନିକ ୠତୁସ୍ରାବ ପ୍ରଡକ୍ଟ ଏବଂ ୠତୁସ୍ରାବଜନିତ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଆବଶ୍ୟକ ଚିକିତ୍ସା ପ୍ରତ୍ୟେକ ମହିଳାଙ୍କର ଅଧିକାର। ସେମାନଙ୍କୁ ଏହି ସୁବିଧା ଯୋଗାଇଦେବା ସମାଜର ଦାୟିତ୍ୱ।
ୠତୁସ୍ରାବ ଜଣେ ମହିଳା ପାଇଁ ଲଜ୍ଜା ବା ସଂକୋଚ ନହୋଇ ସମ୍ମାନର ବିଷୟ ହେବା ଦରକାର। ଏହା ତା’ର ଦୁର୍ବଳତା ନହୋଇ ଶକ୍ତି ଭାବେ ବିଚାର କରାଯିବା ଦରକାର। କାରଣ, ୠତୁସ୍ରାବ ସ୍ୱଚ୍ଛତା ବିଷୟରେ ବ୍ୟାପକ ସାମାଜିକ ସଚେତନତା ହିଁ ବାସ୍ତବରେ ହେବ ମହିଳାମାନଙ୍କର ସ୍ୱାସ୍ଥ୍ୟ, ସ୍ୱପ୍ନ ଏବଂ ସମୃଦ୍ଧିର ନୂଆ ବାଟ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ନୂଆ ବାଟରେ ଚାଲିବା, ଆସନ୍ତୁ ପିରିୟଡ୍ସ ବିଷୟରେ କଥା ହେବା ବୋଲି କହିଥିଲେ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା ଅଭିଯାନର ଅଧ୍ୟକ୍ଷା ପ୍ରଣତି ପରିଡ଼ା।
(୨୮ ଜୁନ ୨୦୨୫, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁବ ଜନସ୍ୱାସ୍ଥ୍ୟ କର୍ମଶାଳା – ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’)
Tags: #LetsTalkPeriods #YouthForChange #Menarche #Menopause #PeriodsFriendlyWorld #MenstrualHealthAndHygiene #BerhampurUniversity #Odisha