ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଷଷ୍ଠ ରାଜ୍ୟ ପୁସ୍ତକ ମେଳାରେ ରବିବାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପକ୍ଷରୁ ଆୟୋଜିତ ହୋଇଛି ଏକ ଅଭିନବ ସାହିତ୍ୟ ପର୍ବ। ଏହି ଅବସରରେ ୧୨ଟି ନୂଆ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏଠାରେ କବିତାର କଳାତ୍ମକ ଉପସ୍ଥାପନାକୁ ନେଇ ‘ଉଚ୍ଚାରଣ’ ନାମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୨୪ ଜଣ କବି ଭାଗ ନେଇଥିଲେ।  

ଏହି ସାହିତ୍ୟ ପର୍ବରେ ଗିରିବାଳା ମହାନ୍ତିଙ୍କ ‘ଯିବାଲୋକ’, ପ୍ରବାସିନୀ ମହାକୁଡ଼ଙ୍କ ‘ଶ୍ରେଷ୍ଠ କବିତା’, ପଞ୍ଚାନନ ନାୟକଙ୍କ ‘ନଷ୍ଟ ପ୍ରେମିକ’, ଅଶୋକ କୁମାର ସିଂହଙ୍କ ‘ଅନ୍ତରଙ୍ଗ ଆବେଗ’, ବିଜନବାଳା ପାଟଯୋଷୀଙ୍କ ‘କାୟାପୁରୁଷ’, ଅମରେନ୍ଦ୍ର ମାଧବ ଦାଶଙ୍କ ‘କବିତା ଧାଡ଼ି ବାହାରେ’ ଆଦି କବିତା ସଂକଳନ ବହିର ଉନ୍ମୋଚନ କରାଯାଇଥିଲା।

ସେହିପରି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ‘ପଳାତକ’, ବିରଜା ରାଉତରାୟଙ୍କ ‘ନୂଆ ଗପର ଇଏମଆଇ’ ଆଦି ଗଳ୍ପ ସଂକଳନ, କାଳନ୍ଦି ସାମଲଙ୍କ ଉପନ୍ୟାସ ‘ସେକେଣ୍ଡ କଣ୍ଟା’ ଏବଂ ହିରଣ୍ମୟୀ ମିଶ୍ରଙ୍କ ‘ବର୍ଣ୍ଣାଳିର ଯେତେ ରଙ୍ଗ’, ଡକ୍ଟର ବାସନ୍ତୀ ମହାନ୍ତିଙ୍କ ‘ଅପ୍ରମିତ ସୁରେନ୍ଦ୍ର’, ପରଂବ୍ରହ୍ମ ତ୍ରିପାଠୀଙ୍କ ‘କିମଧିକମ’ ଆଦି ପ୍ରବନ୍ଧ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଏହାସହ କାର୍ଯ୍ୟକ୍ରମରେ ହୋଇଥିବା କବିତାପାଠ ପ୍ରତିଯୋଗିତାରେ ଅନୀତା ଦାସ, ଅପର୍ଣ୍ଣା ସିଂହ, ଅମିତ କୁମାର ସାହୁ, ଅଂଶୁମାନ ସାହୁ, ଆଶିଷ କୁମାର ମିଶ୍ର ଓ ଆଶୁତୋଷ ସାହୁଙ୍କ ଭଳି କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ବିଶିଷ୍ଟ କଥାକାର ଅଜୟ ସ୍ୱାଇଁ ଏହି ପ୍ରତିଯୋଗିତାର ନିରୀକ୍ଷଣ କରିଥିବାବେଳେ ଗାଳ୍ପିକା ବିୟତ୍‍ପ୍ରଜ୍ଞା ତ୍ରିପାଠୀ, କବି ଶକ୍ତି ମହାନ୍ତି ଓ ଅଭିନେତା ଅଭିଷେକ ଗିରି ଏହାର ବିଚାରକ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରକାଶ ମହାପାତ୍ର, ସୂର୍ଯ୍ୟ ମିଶ୍ର, ପରେଶ ପଟ୍ଟନାୟକ, କୈଳାସ ପଟ୍ଟନାୟକ ଓ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ ପ୍ରମୁଖ ଯୋଗ ଦେଇଥିଲେ।   

Tags: #StateLevelBookFair #TimepassPublication #SahityaParba #Bhubaneswar

LEAVE A REPLY

Please enter your comment!
Please enter your name here