ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ‘ବହିବିଷୁବ’ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ନୂଆ ଲେଖିକାମାନଙ୍କର ୮ଟି ନୂଆ ବହି ଉନ୍ମୋଚିତ ହୋଇଥିଲା। କବି ରାଜେନ୍ଦ୍ର କିଶୋର ପଣ୍ଡା ଓ କଥାକାର ଦାଶ ବେନହୁର ବିଶେଷ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଟାଇମ୍‍ପାସ୍‍ ପ୍ରଥମା ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣରେ ସଫଳ ହୋଇଥିବା ଐଶୂର୍ଯ୍ୟା ରାଉତ, ଅର୍ପିତା ପତି, ମନୀଷା ବିଶ୍ୱାଳ, ପ୍ରତିଭା ଖିଲାର, ପ୍ରୀତିପଦ୍ମା ଦାସ, ସରୋଜିନୀ ଶଙ୍ଖୁଆ, ଶୀତଲ ମିଶ୍ର, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରମୁଖ ଲେଖିକାଙ୍କର ପ୍ରଥମ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରତି ଲେଖିକାଙ୍କର ପ୍ରଥମ କପି ନିଲାମ ଡକା ଯାଇଥିଲା। ପରେ ପାଠକମାନେ ଅଟୋଗ୍ରାଫ୍‍ ସହ ଲେଖିକାଙ୍କ ହାତରୁ ବହି କ୍ରୟ କରିଥିଲେ।

‘ପ୍ରଥମା’ରୁ ଯାତ୍ରାରମ୍ଭ କରି ଇତିମଧ୍ୟରେ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠା ପାଇଥିବା ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସୁମିତ୍‍ ପଣ୍ଡା, ଲିଜାଲିନ୍‍ ବିଶ୍ୱାଳ, ପ୍ରଜ୍ଞା ପାରମିତା ରଥ, ସ୍ୱପ୍ନାଜିତା ଶଙ୍ଖୁଆ ପ୍ରମୁଖ ନିଜ ନିଜ ଲେଖକୀୟ ଯାତ୍ରାର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ।

ପ୍ରମୁଖ ଅତିଥି ଭାବେ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ଯୋଗଦେଇ ‘ପ୍ରଥମା’ର ଲେଖିକାମାନଙ୍କୁ ଆଶୀର୍ବାଦ କରିଥିଲେ।

ତରୁଣ ଲେଖକ ବେଦପ୍ରକାଶ ନାୟକ ଉତ୍ସବ ସଞ୍ଚାଳନ କରିଥିବା ବେଳେ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ ଅଧ୍ୟକ୍ଷତା କରିଥିଲେ। ଅରୁଣ କୁମାର ଦାସ, ତିଳୋତ୍ତମା ଦାସ, ସୁବ୍ରତ ବଳ, ଭାଗ୍ୟଶ୍ରୀ ପଣ୍ଡା, ପ୍ରିୟାଂଶୁ ପ୍ରିୟଦେବ ଓ ସମାସ ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବହିବିଷୁବ ଉତ୍ସବରେ ଶତାଧିକ ଲେଖକ ଓ ସାହିତ୍ୟ ପ୍ରେମୀ ସାମିଲ ହୋଇଥିଲେ।

Tags: #Bahibishuba #BookRelease #TimepassPublication #Bhubaneswar #Odisha

LEAVE A REPLY

Please enter your comment!
Please enter your name here