ପୁଷ୍ପମିତ୍ର ମହାନ୍ତି
ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ହାଇଡ୍ରୋଥର୍ମାଲ୍ ସଲଫାଇଡ୍ କ୍ଷେତ୍ରର ଅନୁସନ୍ଧାନ କରି ବଡ଼ ସଫଳତା ହାସଲ କରିଛି ଭାରତ। ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (ଏନ୍ଆଇଓଟି) ଏବଂ ନାସନାଲ ସେଣ୍ଟର ଫର୍ ପୋଲାର ଆଣ୍ଡ ଓସେନ୍ ରିସର୍ଚ୍ଚ (ଏନସିପିଓଆର)ର ଗବେଷକଙ୍କ ଏକ ଟିମ୍ ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ଏହି ଅନୁସନ୍ଧାନ କାର୍ଯ୍ୟ ସଫଳତାର ସହ କରିଛନ୍ତି। ଆବିଷ୍କାର ହୋଇଥିବା ଅଞ୍ଚଳରୁ ଅନେକ ମୂଲ୍ୟବାନ ଖଣିଜ ପଦାର୍ଥର ସନ୍ଧାନ ହୋଇଛି।
୨୦୨୪ ଡିସେମ୍ବରରେ ଗବେଷଣା ଜାହାଜ ‘ସାଗର ନିଧି’ରେ ଏହି ମିଶନ ହୋଇଥିଲା। ହାଇଡ୍ରୋଥର୍ମାଲ ସଲଫାଇଡ୍ କ୍ଷେତ୍ର ଦକ୍ଷିଣ ଭାରତ ମହାସାଗରର କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ଦେଖିବାକୁ ମିଳିଥାଏ। ଭାରତ ଏହା ଉପରେ ପ୍ରଥମ ଥର ପାଇଁ ଅନୁସନ୍ଧାନ ଆରମ୍ଭ କରିଥିଲା।
ଏହି ଅଭିଯାନ ସମୁଦ୍ର ଗର୍ଭର ୪,୫୦୦ ମିଟର ଗଭୀରତାରେ ହୋଇଥିଲା। ଅନୁସନ୍ଧାନ କାଳରେ ହାଇଡ୍ରୋଥର୍ମାଲ ଭେଣ୍ଟର ଅନନ୍ୟ ପରିବେଶ ଏବଂ ଖଣିଜ ଭଣ୍ଡାର ବିଷୟରେ ମୂଲ୍ୟବାନ ସନ୍ଧାନ ମିଳିଥିଲା। ଏନ୍ଆଇଓଟିର ବୈଜ୍ଞାନିକ ଡକ୍ଟର ଏନ୍ ଆର୍ ରମେଶଙ୍କ ନେତୃତ୍ଵରେ ଏହି ଗବେଷଣା କରାଯାଇଥିଲା।
ଗବେଷଣା କାର୍ଯ୍ୟରେ ଏହି ଟିମ୍ ଅତ୍ୟାଧୁନିକ ସ୍ୱୟଂଶାସିତ ଅଣ୍ଡରୱାଟର ଭେଇକିଲ୍ (ଏୟୁଭି)କୁ ବ୍ୟବହାର କରିଥିଲେ। ଏନଆଇଓଟି ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଓସେନ ମିନେରାଲ ଏକ୍ସପ୍ଲୋରାର (ଓଏମଇ ୬୦) ଏଥିରେ ବ୍ୟବହୃତ ହୋଇଥିଲା। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ଵାରା ସମୁଦ୍ରର ଅତଳ ଗର୍ଭରୁ ବିସ୍ତୃତ ଚିତ୍ର ଉତ୍ତୋଳନ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସମ୍ଭବପର ହୋଇ ପାରିଥିଲା।
ହାଇଡ୍ରୋଥର୍ମାଲ ଭେଣ୍ଟଗୁଡ଼ିକ ସେମାନଙ୍କର ଅସାଧାରଣ କ୍ଷମତା ଏବଂ ସମୃଦ୍ଧ ଖଣିଜ ସମ୍ପଦ ପାଇଁ ଜଣାଶୁଣା। ଏହି ସଲଫାଇଡ୍ କ୍ଷେତ୍ର ଭିତରେ ସୁନା, ରୂପା ଏବଂ ତମ୍ବାର ଭଣ୍ଡାର ମଧ୍ୟ ରହିଛି, ଯାହାର ବୈଜ୍ଞାନିକ ଏବଂ ଅର୍ଥନୈତିକ ମୂଲ୍ୟ ଅତ୍ୟଧିକ। ସାମୁଦ୍ରିକ ଗବେଷଣା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ଉପରେ ଏହି ମିଶନର ଫଳାଫଳ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ଆଶା କରାଯାଉଛି।
ଏହି ଅଭିଯାନ ଭାରତର ମହତ୍ୱାକାଂକ୍ଷୀ ଗଭୀର ମହାସାଗର ମିଶନର ଏକ ଅଂଶ। ନିରନ୍ତର ଅନୁସନ୍ଧାନ ପାଇଁ ବୈଷୟିକ ଜ୍ଞାନକୌଶଳକୁ ଆଗକୁ ବଢ଼ାଇବା ସହିତ ସାମୁଦ୍ରିକ ସମ୍ପଦ ଏବଂ ଜୈବ ବିବିଧତା ବିଷୟରେ ବୁଝାମଣା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏଭଳି ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ୨୦୪୭ ସୁଦ୍ଧା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସ୍ଥାୟୀତାର ଲକ୍ଷ୍ୟ ହାସଲ କରିବା ପାଇଁ ଗଭୀର ସମୁଦ୍ର ଭଳି ଅବ୍ୟବହୃତ କ୍ଷେତ୍ରର ଅନୁସନ୍ଧାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରି କହିଛନ୍ତି।
ଗଭୀର ସମୁଦ୍ର ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତର ଅଗ୍ରଗତିର ପ୍ରମାଣ ସ୍ୱରୂପ ଓଏମଇ ୬୦୦୦ର ସଫଳ ପ୍ରୟୋଗକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ସଫଳତା ଭାରତକୁ ଏପରି ଜଟିଳ ଜଳ ଅନୁସନ୍ଧାନ କରିବାକୁ ସକ୍ଷମ ରାଷ୍ଟ୍ରମାନଙ୍କର ଏକ ବଛାବଛା ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଛି।
ଏହି ଅଭିଯାନର ସଫଳତା ଦକ୍ଷିଣ ଭାରତ ମହାସାଗରର ରଣନୈତିକ ମହତ୍ତ୍ୱକୁ ଦର୍ଶାଉଛି। ବୈଜ୍ଞାନିକ ଆବିଷ୍କାର ଏବଂ ସମ୍ବଳର ଉପଯୋଗ ପାଇଁ ବିପୁଳ ସମ୍ଭାବନା ଥିବା ଏହି ଅଞ୍ଚଳ ପୃଥିବୀର ସର୍ବନିମ୍ନ ଅନୁସନ୍ଧାନ କରାଯାଇଥିବା ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏହି ଅଭିଯାନ ସମୟରେ ସଂଗୃହୀତ ବିସ୍ତୃତ ଇମେଜିଂ ଏବଂ ଡାଟା ଏହି ଦୁର୍ଗମ ପରିବେଶରେ ସାମୁଦ୍ରିକ ପରିବେଶକୁ ଭଲ ଭାବରେ ବୁଝିବାରେ ସହାୟକ ହେବ।
ଗଭୀର ସମୁଦ୍ର ଅନୁସନ୍ଧାନ କ୍ଷେତ୍ରରେ ଭାରତର ପ୍ରୟାସ ମଧ୍ୟ ଏହାର ଆଗାମୀ ସମୁଦ୍ର ଅଭିଯାନ ସହ ଯୋଡ଼ି ହୋଇଛି। ସମୁଦ୍ର ପତନଠାରୁ ୬ ହଜାର ମିଟର ଗଭୀରତାକୁ ମାନବ ଅନୁସନ୍ଧାନକାରୀ ପଠାଇବା ଏହି ଅଭିଯାନର ଲକ୍ଷ୍ୟ ରହିଥିଲା। ମିଳିତ ଭାବେ ଏହି ପଦକ୍ଷେପଗୁଡ଼ିକ ପରିବେଶ ସଂରକ୍ଷଣକୁ ସୁନିଶ୍ଚିତ କରିବା ସହିତ ସମୁଦ୍ରର ସାମର୍ଥ୍ୟକୁ ଦାୟିତ୍ଵପୂର୍ଣ୍ଣ ଭାବେ ଉପଯୋଗ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ହାଇଡ୍ରୋଥର୍ମାଲ ସଲଫାଇଡ୍ କ୍ଷେତ୍ରରୁ ମିଳିଥିବା ତଥ୍ୟ ସାମୁଦ୍ରିକ ସମ୍ପଦ ପରିଚାଳନା ଉପରେ ଭବିଷ୍ୟତ ନୀତି ସମ୍ପର୍କରେ ସୂଚନା ଦେବ। ପରିବେଶ ସଂରକ୍ଷଣ ସହିତ ସମ୍ବଳ ଉତ୍ତୋଳନର ସନ୍ତୁଳନ ଉପରେ ବିଶ୍ୱସ୍ତରୀୟ ଆଲୋଚନାରେ ମଧ୍ୟ ସେମାନେ ଯୋଗଦାନ ଦେବେ। ଏହି ସଫଳତା ସହିତ ଭାରତ ଗଭୀର ସମୁଦ୍ର ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଜାରି ରଖିଛି ଏବଂ ସାମୁଦ୍ରିକ ବିଜ୍ଞାନରେ ନିରନ୍ତର ବିକାଶ ଏବଂ ଉଦ୍ଭାବନ ପାଇଁ ମାର୍ଗ ପ୍ରଶସ୍ତ କରୁଛି।
ଗଭୀର ସମୁଦ୍ରର ରହସ୍ୟ ଖୋଲିବା ଦିଗରେ ସାଗର ନିଧିରେ ଗବେଷକ ଦଳର କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯେହେତୁ ଭାରତ ଏହାର ଗଭୀର ସମୁଦ୍ର ସାମର୍ଥ୍ୟରେ ପୁଞ୍ଜିନିବେଶ କରୁଛି, ଏହି ଅଭିଯାନ ଦେଶର ବୈଜ୍ଞାନିକ ଦକ୍ଷତା ଏବଂ ଏହାର ପ୍ରତିବଦ୍ଧତାର ପ୍ରମାଣ ଭାବରେ ଠିଆ ହୋଇଛି।
Tags: #IndianDeepSeaMission #HydrothermalVent #Minerals #SouthernIndianOcean #DST #India