ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ସମ୍ଭଲରୁ ସମାଜବାଦୀ ପାର୍ଟିର ସାଂସଦ ଜିଆ ଉର ରେହମାନ ବର୍କଙ୍କ ବାସଭବନରେ ବିପୁଳ ପରିମାଣର ବିଦ୍ୟୁତ ଚୋରି ହୋଇଥିବା ପର୍ଦ୍ଦାଫାସ ହୋଇଛି। ବିଦ୍ୟୁତ ଚୋରି ଅଭିଯୋଗରେ ସାଂସଦଙ୍କ ଉପରେ ୧.୯ କୋଟି ଟଙ୍କା ଜୋରିମାନା ଲଗାଇବା ସହ ତାଙ୍କ ବିଜୁଳି ଯୋଗାଣ ବିଚ୍ଛିନ୍ନ କରାଯାଇଛି। ଏହାସହ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।
ଗୁରୁବାର ହୋଇଥିବା ଉତ୍ତରପ୍ରଦେଶ ବିଦ୍ୟୁତ ବିଭାଗର ତଦନ୍ତରେ ସାଂସଦଙ୍କ ଘରେ ନିର୍ଦ୍ଧାରିତ ସୀମାଠାରୁ ବହୁ ଅଧିକ ଅନଧିକୃତ ବିଦ୍ୟୁତ ଲୋଡ୍ ଥିବା ଜଣା ପଡ଼ିଥିଲା। ୨ କିଲୋୱାଟ୍ ଅନୁମୋଦିତ ବିଦ୍ୟୁତ ସଂଯୋଗ ଥିବା ସାଂସଦ ବର୍କ ତାଙ୍କ ବାସଭବନରେ ୧୬.୫ କିଲୋୱାଟ୍ ଲୋଡ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା।
ବିଦ୍ୟୁତ ଚୋରିକୁ ଖଣ୍ଡନ କଲେ ସାଂସଦଙ୍କ ପରିବାର
ସାଂସଦ ବର୍କଙ୍କ ପରିବାର ଦାବି କରିଛନ୍ତି ଯେ ସେମାନେ ୧୦ କିଲୋୱାଟ୍ ସୋଲାର ପ୍ୟାନେଲ ଏବଂ ୫ କିଲୋୱାଟ୍ ଜେନେରେଟର ବ୍ୟବହାର କରି ସେମାନଙ୍କ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରନ୍ତି। ଯାହା କି ୧୯ କିଲୋୱାଟ୍ ପର୍ଯ୍ୟନ୍ତ ଭାର ସମ୍ଭାଳିପାରିବ। ତେବେ ଉକ୍ତ ବାସଭବନରେ ଥିବା ସୋଲାର ପ୍ୟାନେଲ୍ ଅଚଳ ଥିବା ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଢ଼ାଉ ବେଳେ ଘରୁ ୫୦ରୁ ଅଧିକ ଏଲ୍ଇଡି ବଲ୍ବ, ୩ଟି ସ୍ପ୍ଲିଟ୍ ଏସି, ୨ଟି ଫ୍ରିଜ୍, ଗୋଟିଏ ଡିପ୍ ଫ୍ରିଜର, ଗୋଟିଏ କଫି ପ୍ରସ୍ତୁତକାରୀ ମେସିନ୍, ଗୋଟିଏ ଗିଜର ଓ ଗୋଟିଏ ମାଇକ୍ରୋୱେଭ୍ ଓଭେନ୍ ମିଳିଥିଲା। ଅଧିକ ବ୍ୟବହାର ସତ୍ତ୍ୱେ ଗତ ୬ ମାସ ଧରି ବାସଭବନର ବିଦ୍ୟୁତ ବିଲ୍ ଶୂନ୍ୟ ଆସୁଥିଲା। କିନ୍ତୁ ବ୍ୟବହାର ଅନୁମୋଦିତ ହାରରୁ ୮ ଗୁଣା ଅଧିକ ରହିଥିଲା।
ବିଦ୍ୟୁତ ଚୋରି ଅଭିଯୋଗରେ ଏତଲା ରୁଜୁ
ବିଦ୍ୟୁତ ଚୋରି ଅଭିଯୋଗରେ ଉତ୍ତରପ୍ରଦେଶ ବିଦ୍ୟୁତ୍ ବିଭାଗ ବର୍କଙ୍କ ବିରୋଧରେ ଏତଲା ଦେଇଛି। ଅନ୍ୟପକ୍ଷରେ ଘଟଣାର ଯାଞ୍ଚ ପାଇଁ ଘଟଣାସ୍ଥଳକୁ ଯାଇଥିବା ଯାଞ୍ଚକାରୀ ଦଳକୁ ସାଂସଦ ବର୍କଙ୍କ ବାପା ଦେଇଥିବା ଧମକ ସମ୍ପର୍କରେ ପ୍ରମାଣ ମିଳିବା ପରେ ଏ ପ୍ରସଙ୍ଗରେ ଆଉ ଏକ ଏଫଆଇଆର ହେବ ବୋଲି ଜଣାପଡ଼ିଛି।
ବର୍କଙ୍କ ବିରୋଧରେ ଆଗରୁ ଅଭିଯୋଗ
ସାଂସଦ ଜିଆ ଉର ରେହମାନ ବର୍କ ମଧ୍ୟ ଆଉ ଏକ ବିବାଦରେ ଫସିଛନ୍ତି। ନଭେମ୍ବର ୨୪ରେ ସମ୍ଭଲରେ ଏକ ମସଜିଦ ସର୍ଭେକୁ ନେଇ ହୋଇଥିବା ହିଂସାତ୍ମକ ସଂଘର୍ଷରେ ସେ ମୁଖ୍ୟ ଅଭିଯୁକ୍ତ। ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତେଜନାମୂଳକ ଭାଷଣ ମାଧ୍ୟମରେ ରାଜନୈତିକ ଫାଇଦା ପାଇଁ ଏହି ହିଂସା କାଣ୍ଡ ଘଟାଇଥିବା ଉତ୍ତରପ୍ରଦେଶ ପୁଲିସ ଅଭିଯୋଗ କରିଛି। ତେବେ ବର୍କ ଏହାକୁ ଅସ୍ୱୀକାର କରିବା ସହ ବିଜେପି ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।
ସରକାରୀ ବିବୃତି
ସମ୍ଭଲର ଅତିରିକ୍ତ ଏସପି ଶ୍ରୀଶ ଚନ୍ଦ୍ର ବିଦ୍ୟୁତ ଚୋରି ଏତଲା ଦାୟରକୁ ନିଶ୍ଚିତ କରିଛନ୍ତି। ଏଥିସହ ଯାଞ୍ଚକାରୀ ଦଳକୁ ଧମକ ଦେବା ନେଇ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏହି ଘଟଣା ଜନପ୍ରତିନିଧିଙ୍କ ଆଚରଣ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ଭଲ ଜିଲ୍ଲା ବିଦ୍ୟୁତ କମିଟି ଅଧ୍ୟକ୍ଷ ଭାବେ ବିଦ୍ୟୁତ୍ ଚୋରିରେ ବାର୍କଙ୍କ ସମ୍ପୃକ୍ତିକୁ ନେଇ ସାଧାରଣରେ ସମାଲୋଚନା ହେଉଛି। ଏ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି।
Tags: #ZiaurRahmanBarq #MP #ElectricityTheft #Sambhal #SamajwadiParty #UttarPradesh
















