ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ରାଜ୍ୟସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋର ଧରିଛି ଏହି ଚର୍ଚ୍ଚା।

ସୁଜିତ କୁମାର ରାଜ୍ୟସଭା ସାଂସଦ ପଦ ଛାଡ଼ିବା ପରେ ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ଖଲି ପଡ଼ିଛି। ଖାଲି ପଡ଼ିଥିବା ଏହି ଆସନ ଲାଗି ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ହେବ। ତେବେ ବିଜେପି ସୁଜିତ କୁମାରଙ୍କୁ ପୁଣି ସୁଯୋଗ ଦେବ ନା ଓଡ଼ିଶାରୁ ରାଜ୍ୟସଭା ଯିବେ ନୂଆ ଚେହେରା ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଭିନ୍ନ ନେତାଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି।

ରାଜ୍ୟସଭା ସାଂସଦ ରେସରେ ସବୁଠାରୁ ଆଗରେ ରହିଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ। ଏହା ସହ ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ମମତା ମହାନ୍ତଙ୍କ ପରି ବିଜେପି ସୁଜିତ କୁମାରଙ୍କୁ ରିପିଟ କରିପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି।

କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ଏହା ସହ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସୁଜିତ କୁମାର ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ହିଁ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ଦଳରେ ଯୋଗ ଦେଇଥିଲେ।

ସୁଜିତ କୁମାରଙ୍କ ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ମମତାଙ୍କୁ ପୁଣି ରାଜ୍ୟସଭା ପଠାଇଛି ବିଜେପି।

ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନମୋହନ ସାମିଲଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଦଳ ଏଥର ତାଙ୍କୁ ରାଜ୍ୟସଭାକୁ ପଠାଇପାରେ ବୋଲି ଆଶା କରାଯାଉଛି।

ତେବେ ଗତ ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କୁ ଟିକେଟ ଦେଇନଥିଲା ବିଜେପି। ରାଜ୍ୟସଭା ସାଂସଦ ପଦ ତାଙ୍କ ଭାଗରେ ପଡ଼ିପାରେ ବୋଲି ମଧ୍ୟ କୁହାଯାଉଛି।

ତେବେ କାହାକୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବ ତା’ ଉପରେ ରହିଛି ସମସ୍ତଙ୍କ ନଜର। 

Tags: #Politics #OdishaPolitics #SujitKumar #ManmohanSamal #SamirDas #BisweswarTudu #MP #RajyaSabha #Odisha #BJP

LEAVE A REPLY

Please enter your comment!
Please enter your name here