ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକିଆ ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ। ମାସକୁ ୧,୦୦୦ ଟଙ୍କା ଯାଉଛି ସନ୍ନି ଲିଓନୀଙ୍କ ଆକାଉଣ୍ଟକୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ମାମଲା ଆସିଛି ଛତିଶଗଡ଼ରୁ। ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ କରାଯାଉଥିବା ଘଟଣା ପର୍ଦ୍ଦାଫାସ କରିଛି ବସ୍ତର ପୋଲିସ।
ଛତିଶଗଡ଼ରେ ୨୦୨୪ ମସିହାରେ ଆରମ୍ଭ ହୋଇଥିଲା ‘ମାହତରୀ ବନ୍ଦନ ଯୋଜନା’। ଏହି ଯୋଜନାରେ ମହିଳାଙ୍କୁ ମାସିକ ୧,୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରୁ ଲାଭ ପାଇବା ପାଇଁ ବସ୍ତର ଜିଲ୍ଲାର ତାଲୁର ଗାଁରେ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାଁରେ ଏକ ଆକାଉଣ୍ଟ ଖୋଲା ଯାଇଥିଲା। ଏଥିରେ ସନ୍ନିଙ୍କ ସ୍ଵାମୀଙ୍କ ନାଁ ଜନି ସିନ୍ସ ଉଲ୍ଲେଖ କରାଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସନ୍ନିଙ୍କ ନାମରେ ଥିବା ଏହି ଫେକ୍ ଆକାଉଣ୍ଟକୁ ଗ୍ରାମପଞ୍ଚାୟତ ଓ ଯୋଜନାର ସ୍ଥାନୀୟ ସୁଭରଭାଇଜର ଯାଞ୍ଚ କରି ସ୍ଵୀକୃତି ଦେଇଛନ୍ତି।
ଗତ ମାର୍ଚ୍ଚ ମାସରୁ ସନ୍ନିଙ୍କ ଫେକ ଆକାଉଣ୍ଟକୁ ୧,୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଥିଲା। ତେବେ ବସ୍ତର ଜିଲ୍ଲାରେ ଯୋଜନାର ଅଡିଟ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ଭତ୍ତା ଲୁଟ ମାମଲା ରୁଜୁ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବସ୍ତର ଜିଲ୍ଲାପାଳ।
ଏହି ଘଟଣାର ତଦନ୍ତ କରି ସତ ସାମ୍ନାକୁ ଆଣିଛି ବସ୍ତର ପୋଲିସ। ତାଲୁର ଗାଁର ବୀରେନ୍ଦ୍ର ଯୋଶୀ ନାମକ ବ୍ୟକ୍ତି ସନ୍ନିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ କରୁଥିଲେ। ସମ୍ପୃକ୍ତ ଆକାଉଣ୍ଟକୁ ସିଜ କରାଯିବା ସହ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ।
Tags: #MahatariBandanYojana #FakeAccount #SunnyLeone #Chhattisgarh #Crime