ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ୨୦୨୫ ମସିହା ପାଇଁ କବି ବ୍ରଜନାଥ ରଥ ସମ୍ମାନ ଘୋଷଣା କରାଯାଇଛି। ବର୍ଷିୟାନ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କୁ ‘କବି ବ୍ରଜନାଥ ରଥ ସାରସ୍ଵତ ସମ୍ମାନ’ ପ୍ରଦାନ କରାଯିବ। ସେହିପରି କବି ବିଜୟ ଉପାଧ୍ୟାୟଙ୍କୁ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ’ ଓ ବିଶିଷ୍ଟ ଅନୁବାଦିକା ଡକ୍ଟର ବର୍ଣ୍ଣାଳୀ ଡେକ୍କାଙ୍କୁ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ବର୍ଦ୍ଧନା’ ପ୍ରଦାନ କରାଯିବ।
ଆସନ୍ତା ୨୦୨୫ ଜାନୁୟାରି ୧୨ ତାରିଖରେ କବି ବ୍ରଜନାଥ ରଥଙ୍କର ୯୦ତମ ଜନ୍ମ ବର୍ଷିକୀ ତଥା ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ଟ୍ରଷ୍ଟର ସଦସ୍ୟ କବି କାଳିକିଙ୍କର ଦାସ ସୂଚନା ଦେଇଥିଲେ।
ସାହିତ୍ୟ କ୍ଷେତ୍ରକୁ ବିଶେଷ ଅବଦାନ ପାଇଁ ଦିବଂଗତ କବି ଡକ୍ଟର କବି ବ୍ରଜନାଥ ରଥଙ୍କ ନାମରେ ୨୦୧୬ ମସିହାଠାରୁ ‘କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ’, ‘କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ’ ଓ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ବର୍ଦ୍ଧନା’ ପ୍ରଦାନ କରାଯାଉଛି।
କବି ବ୍ରଜନାଥ ରଥ ସମ୍ମାନ ପ୍ରଦାନ ଲାଗି ବାଲେଶ୍ଵର ଜିଲ୍ଲା ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରରେ ଫକୀର ମୋହନ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ଵରର ବିଶିଷ୍ଟ କବି, ଲେଖକ ଏବଂ କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ରହି ଆସନ୍ତା ବର୍ଷର ତିନିଟି ବିଭାଗରେ କାହାକୁ ସମ୍ମାନ ପ୍ରଦାନ କରାଯିବ ସେ ନେଇ ଆଲୋଚନା କରିଥିଲେ।
ବୈଠକରେ ପ୍ରାଧ୍ୟାପକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ, ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ମମତା ମହାପାତ୍ର, ଲେଖକ ଡାକ୍ତର ରାଧାରଞ୍ଜନ ପଟ୍ଟନାୟକ, କବି ଡାକ୍ତର କୁମାର ଗୋପାଳ, ଲେଖକ କମଳାକାନ୍ତ ଦାସ, ଟ୍ରଷ୍ଟର ସଦସ୍ୟ ମନସ୍ଵୀନି ଦେବୀ, ଡାକ୍ତର ମୃତ୍ୟଞ୍ଜୟ ମିଶ୍ର, ବିଧୁନାଥ ରଥ ପ୍ରମୁଖ ଉପସ୍ଥିତ ଥିଲେ।
Tags: #PoetBrajanathRathSahityaSamman #PraharajSatyanarayan #Balasore #Odisha