ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୫ ମାର୍ଚ୍ଚ ମାସରେ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା। ଆସନ୍ତା ଜାନୁଆରି ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆସନ୍ତା ୨୦୨୫ ଜାନୁଆରି ମାସ ଶେଷ ସୁଦ୍ଧା ଏକ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ବର୍ତ୍ତମାସ ସୁଦ୍ଧା ସୁଭଦ୍ରା ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। ପ୍ରାୟ ୭୫ ପ୍ରତିଶତ ମହିଳା ସୁଭଦ୍ରା ଯୋଜନା ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜାନୁଆରି ମାସରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଯୋଜନାର ଲାଭ ପାଇବେ। ଗତ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଯୋଜନାରୁ ଲାଭ ପାଇସାରିଛନ୍ତି।
ଡିସେମ୍ବର ୧ ତାରିଖ ସୁଦ୍ଧା ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।
ସୁଭଦ୍ରା ଯୋଜନାରେ ମୋଟ ୨ ଲକ୍ଷ ୬୭ ହଜାର ଆଦେବନ ଖାରଜ ହୋଇଛି। ଏଗୁଡ଼ିକର ପୁଣିଥରେ ଯାଞ୍ଚ କାର୍ଯ୍ୟ ଚାଲିଛି।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।
ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
Tags: #SubhadraYojana #CMOdisha #MohanCharanMajhi #DBT #Odisha