ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକ ଘଟିଛି। ଗୁରୁବାର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
ଡକ୍ଟର ମନମୋହନ ସିଂହ ଅନେକ ଦିନରୁ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ। ଗୁରୁବାର ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଛି। ଏନେଇ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଘୋଷଣା କରିଥିଲେ।
ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁରେ ଭାରତୀୟ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ରାଜନେତା ତାଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ଡକ୍ଟର ମନମୋହନ ସିଂହ ପାକିସ୍ତାନର ପଞ୍ଜାବରେ ଚକଓ୍ବାଲ ଜିଲ୍ଲାର ସ୍ଥିତ ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ଦେଶ ବିଭାଜନ ପରେ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲା।
ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ ଏହାପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ଅର୍ଥ ମନ୍ତ୍ରାଳୟର ସଚିବ ରହିବା ସହ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ।
ରାଜନୈତିକ ଜୀବନ
ଡକ୍ଟର ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ୧୯୯୦ ଦଶକର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିମହା ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ଭାରତୀୟ ଅର୍ଥନୀତିକୁ ଉଦାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ପରବର୍ତ୍ତୀ ସମୟରେ ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ।
Tags: #DrManmohanSingh #FormerPrimeMinister #Economist #Politician #Congress #India