ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ। କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍ର ଡ୍ରାଇଭର, ଜଣେ ମହିଳା ଓ ଶିଶୁ ରହିଛନ୍ତି। ସମସ୍ତେ କଟକ ଜଲ୍ଲାର ବୋଲି ଜଣାପଡ଼ିଛି।
କଟକ ଜିଲ୍ଲା ନିଆଳିର ପ୍ରାୟ ୫୦ ଜଣ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଏକ ବସ୍ ଯୋଗେ କୋରାପୁଟ ଜିଲ୍ଲା ଅଭିମୁଖେ ବାହାରିଥିଲେ। ରବିବାର ବସଟି ଭାରସାମ୍ୟ ହରାଇ ସୁକନାଳ ଘଟିରେ ଓଲଟି ପଡ଼ିଥିଲା। ଫଳରେ ବସ୍ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଉଛନ୍ତି ବସ୍ ଡ୍ରାଇଭର ରଞ୍ଜନ ମହାନ୍ତି, ଭାଗ୍ୟଶ୍ରୀ ମିହାପାତ୍ର ଏବଂ ସୋମନାଥ ପୃଷ୍ଟି।
ଦୁର୍ଘଟଣାରେ ଆହତ ହୋଇଥିବା ୩୦ ଜଣଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ନାବାଳକର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଏବଂ ଏସପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କୋଟପାଡ଼ ବିଧାୟକ ରୁପୁ ଭତ୍ରା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।
ଜୟପୁର ଅଡ୍ରାଫ ଟିମ, ବୈପାରୀଗୁଡ଼ା ଅଗ୍ନିଶମ ବାହିନୀ ଏବଂ ବିଏସଏଫ ଯବାନ ଉଦ୍ଧାର କାର୍ଯ୍ୟ କରିଥିଲେ।
ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
Tags: #Accident #Death #RoadAccident #Koraput #Odisha