ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ବହନ କରିଥିବା ବୈଜ୍ଞାନିକ ଡକ୍ଟର ଆର୍ ଚିଦାମ୍ବରମଙ୍କ ପରଲୋକ ଘଟିଛି। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
ଡକ୍ଟର ଆର୍ ଚିଦାମ୍ବରମ ଅନେକ ଦିନରୁ ଅସୁସ୍ଥ ଥିଲେ। ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଓ ପରେ ତାଙ୍କର ଦେହାନ୍ତ ହୋଇଥିଲା।
ଡକ୍ଟର ଆର୍ ଚିଦାମ୍ବରମ ୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୫୮ ମସିହାରେ ମଦ୍ରାସ ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ୧୯୬୨ ମସିହାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ପିଏଚଡି କରିଥିଲଏ। ଏହାପରେ ସେ ଡିଆରଡିଓ ଏବଂ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଭଳି ପ୍ରତିଷ୍ଠାନ ସହ ଯୋଡ଼ି ହୋଇଥିଲେ।
ଭାରତରେ ଆଣବିକ ପରୀକ୍ଷଣଠାରୁ ଆରମ୍ଭ କରି ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପର୍ଯ୍ୟନ୍ତ ତାଙ୍କର ଅନେକ ଅବଦାନ ରହିଛି। ୧୯୭୫ ଏବଂ ୧୯୯୮ରେ ପୋଖରାଣରେ ଆଣବିକ ପରୀକ୍ଷଣରେ ସେ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସେ ଭାରତର ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହେବା ସହ ଭାରତ ସରକାରଙ୍କ ପ୍ରିନ୍ସିପାଲ୍ ସାଇଣ୍ଟିଫିକ ଆଡଭାଇଜର ମଧ୍ୟ ଥିଲେ। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀ ଏବଂ ୧୯୯୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
Tags: #DrRChidambaram #NuclearScientist #IndianNuclearProgramme #BARC #India