ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖବର। ଜାନୁଆରି ୧୫ ତାରିଖ ପରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ତେବେ କେଉଁ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ସେ ନେଇ ସ୍ପଷ୍ଟା କରାଯାଇନାହିଁ। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମୋଟ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଛି। ଏଗୁଡ଼ିକର ଯାଞ୍ଚ କାର୍ଯ୍ୟ ଚାଲିଛି।
୨୦୨୪ ଡିସେମ୍ବର ୩୦ ତାରିଖ ସୁଦ୍ଧା ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଥିଲେ ମଧ୍ୟ ହୋଇପାରି ନାହିଁ। ତେଣୁ ଯାଞ୍ଚ ଅବଧିକୁ ଜାନୁଆରି ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ କିସ୍ତି ପ୍ରଦାନ ପାଇଁ ଶେଷ ତାରିଖ ୮ ରହିଥିଲା, କିନ୍ତୁ ମାର୍ଚ୍ଚ ୩୦ ତାରିଖ ପରେ ଆବେଦନ କଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏହି ଯୋଜନାରୁ ଯେପରି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।
ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
Tags: #SubhadraYojana #CMOdisha #MohanCharanMajhi #DBT #Odisha