ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡର (ନାଲକୋ) ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ତାପସ କୁମାର ପଟ୍ଟନାୟକ। ଏନେଇ ତାଙ୍କୁ ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ନାଲକୋ ସିଏମଡି ସଞ୍ଜୟ ଲୋହିୟା ଶୁଭେଚ୍ଛା ଜଣାଇଛନ୍ତି।
ଡକ୍ଟର ତାପସ କୁମାର ପଟ୍ଟନାୟକ ଏହା ପୂର୍ବରୁ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ରିଫାଇନେରୀ ଡିଭିଜନର ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ କାର୍ଯ୍ୟ କରିଆସୁଥିଲେ। ଏବେ ସେ ନାଲକୋର ମାନବ ସମ୍ବଳ ବିଭାଗର ପାଇଁ ପ୍ରତିଭା ଅଧିଗ୍ରହଣ, କର୍ମଚାରୀ ଦକ୍ଷତା ବିକାଶ, ସାଂଗଠନିକ ପ୍ରଭାବଶୀଳତା ଏବଂ ନାଲକୋର ମାନବ ସମ୍ବଳ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ।
ମାନବ ସମ୍ବଳ ଏବଂ କୋର୍ପୋରେଟ କମ୍ୟୁନିକେସନ କ୍ଷେତ୍ରରେ ଡକ୍ଟର ତାପସ କୁମାର ପଟ୍ଟନାୟକଙ୍କ ଦୀର୍ଘ ୩୩ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସାଂଗଠନିକ ବିକାଶ, କର୍ମଚାରୀଙ୍କ ନିୟୋଜନ, ପ୍ରତିଭା ଅଗ୍ରହଣ, ଶିଳ୍ପ ସମ୍ପର୍କ, ଶିକ୍ଷଣ ଓ ବିକାଶ ଏବଂ ମାନବ ସମ୍ବଳ ରଣନୀତି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି।
ସେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ଡକ୍ଟର ତାପସ କୁମାର ପଟ୍ଟନାୟକ କାର୍ମିକ ପରିଚାଳନା ଏବଂ ଶୈକ୍ଷିକ ସମ୍ପର୍କ କ୍ଷେତ୍ରରେ ସ୍ନାତକୋତ୍ତର ଓ ପିଏଚଡି କରିଛନ୍ତି। ଏହାସହ ସେ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି।
ଏବେ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଡକ୍ଟର ତାପସ କୁମାର ପଟ୍ଟନାୟକଙ୍କ ଯୋଗଦାନ ନାଲକୋର ନିର୍ଦ୍ଦେଶକ ମଣ୍ଡଳୀକୁ ଆହୁରି ସୁଦୃଢ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।
Tags: #DrTapasKumarPattanayak #Director #HumanResources #NALCO #India