ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ବାସଭବନଠାରେ ଜାନୁଆରି ୩ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା।

ବ୍ରଜକିଶୋର ମହାନ୍ତିଙ୍କ ବିୟୋଗରେ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା କଳାକାରମାନେ ଶୋକ ପ୍ରକାଶ କରିଛନ୍ତି। ଅନେକ ଲୋକ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଶେଷ ସମୟରେ ବ୍ରଜକିଶୋର ମହାନ୍ତିଙ୍କ ନିକଟରେ ତାଙ୍କ ପୁଅ ବୋହୂ, ୫ ଜଣ ଝିଅ ଏବଂ ନାତି ନତୁଣୀମାନେ ଉପସ୍ଥିତ ଥିଲେ। ଶନିବାର ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ବ୍ରଜକିଶୋର ମହାନ୍ତି କଟକସ୍ଥିତ ଭୁବନନନ୍ଦ ଯାନ୍ତ୍ରିକ ବିଦ୍ୟାଳୟର ସିଭିଲ ଇଂଜିନିୟରିଂ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଥିଲେ। ପେସାରେ ଜଣେ ଶିକ୍ଷାବିତ୍ ହୋଇଥିଲେ ମଧ୍ୟ ନିଶା ଥିଲା ତାଙ୍କର ଅଭିନୟ। ସେ ଓଡ଼ିଶା ନାଟକ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ଵ ଥିଲେ।

କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ପ୍ରସାରିତ କାଠଘୋଡ଼ା, ଜନ୍ମାଷ୍ଟମୀ, ଦେବୀ ଦୁର୍ଗା ଓ ମହିଷାସୁର ମର୍ଦ୍ଦିନୀ ଭଳି ବେତାର ନାଟକ ଏବଂ ଅନେକ ମଞ୍ଚ ନାଟକରେ ବ୍ରଜକିଶୋର ମହାନ୍ତି ପରିବେଷଣ କରିଛନ୍ତି। ନାଟକରେ ତାଙ୍କର ଓଜସ୍ଵିନୀ ସ୍ଵର ପାଇଁ ସେ ବହୁତ ଲୋକପ୍ରିୟ ହୋଇଥିଲେ। ପ୍ରତିଷ୍ଠିତ ଅନ୍ନପୂର୍ଣ୍ଣା ଥିଏଟରର ସେ ଜଣେ ଉଚ୍ଚକୋଟୀର ନାଟ୍ୟକାର ଥିଲେ।  

ଓଡ଼ିଶାର କଳା, ସଂସ୍କୃତିକୁ ବଜାୟ ରଖିଥିବା ବିଶିଷ୍ଟ କଳାକାରମାନଙ୍କ ମଧ୍ୟରେ ବ୍ରଜକିଶୋର ମହାନ୍ତି ଅନ୍ୟତମ ଥିଲେ। ଗାମ୍ଭୀର୍ଯ୍ୟପୂର୍ଣ୍ଣ ସଂଳାପ ପରିବେଷଣ ପାଇଁ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ତାଙ୍କୁ ‘ଶ୍ରେଷ୍ଠ ଭଏସ୍ ଆର୍ଟିଷ୍ଟ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାସହ କଳିଙ୍ଗ ନାଟ୍ୟ ମହୋତ୍ସବ ପକ୍ଷରୁ ‘ସୁମିତ୍ରା ସମ୍ମାନ’ ଓ ‘ବିଭୂତି ମହାନ୍ତି ନାଟ୍ୟ ସମ୍ମାନ’ ସହ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା।  

Tags: #BrajakishoreMohanty #VoiceArtist #Theater #Odisha

LEAVE A REPLY

Please enter your comment!
Please enter your name here