ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୩ ରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮୬ ବର୍ଷୀୟ ବିବାଦୀୟ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅସୁସ୍ଥତା କାରଣରୁ ଆଶାରାମ ବାପୁଙ୍କୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଜାମିନ ପ୍ରଦାନ କରାଯାଇଛି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଶାରାମ ବାପୁ ହୃଦ୍ ରୋଗ ସମେତ ଏକାଧିକ ବୟସଜନିତ ରୋଗରେ ପୀଡ଼ିତ ଅଛନ୍ତି। ଜାମିନ ଅବଧି ମଧ୍ୟରେ ସେ ପ୍ରମାଣରେ ବିଭ୍ରାଟ କରିବେ ନାହିଁ, କିମ୍ବା ତାଙ୍କ ଅନୁଗାମୀମାନଙ୍କୁ ଭେଟିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଶାରାମ ବାପୁ ଏବେ ଯୋଧପୁରର ଆରୋଗ୍ୟ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ୨୦୧୮ ମସିହାରେ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଜୋଧପୁର କୋର୍ଟ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୩ରେ ଜଣେ ମହିଳା ଶିଷ୍ୟଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୨୩ରେ ଗୁଜରାଟର ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ସୁପ୍ରିମକୋର୍ଟ ତାଙ୍କ ମୁକ୍ତି ସମୟରେ କଡ଼ା ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ଉପରେ ନଜର ରଖିବା ପାଇଁ ଏକାଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ।
ଏହା ପ୍ରଥମ ଥର ନୁହେଁ ଯେ ଆଶାରାମ ବାପୁଙ୍କୁ ସାମୟିକ ରିଲିଫ୍ ପ୍ରଦାନ କରାଯାଇଛି। ଗତ ୨୦୨୩ ଡିସେମ୍ବର ମାସରେ ୧୭ ଦିନ ପାଇଁ ପାରୋଲରେ ମୁକୁଳିଥିଲେ। ପରେ ସେ ଜୋଧପୁର ଜେଲକୁ ଫେରିଥିଲେ। ୨୦୨୩ ଅଗଷ୍ଟ ମାସରେ ରାଜସ୍ଥାନ ହାଇକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ୭ ଦିନିଆ ପାରୋଲ ପ୍ରଦାନ କରିଥିଲେ।
ଆଶାରାମ ବାପୁ ପିଟିସନରେ ସ୍ୱାସ୍ଥାବସ୍ଥା ଖରାପ ଥିବା ଉଲ୍ଲେଖ କରିଛନ୍ତି। ସେ ଏକାଧିକ ହୃଦଘାତର ଶିକାର ହୋଇଥିବା ଦାବି କରିବା ସହ ୧୧ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଏହା ପୂର୍ବରୁ ୨୦୨୪ ଫେବ୍ରୁଆରିରେ ଆଶାରାମ ବାପୁ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜୋଧପୁରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା।
Tags: #AsharamBapu #SupremeCourt #InterimBail #RapeCase