ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚାଲିଛି ଅଙ୍କକଷା, କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? କାନାଡାର ରାଜନୈତିକ ସଙ୍କଟ ଚାଲିଥିବାବେଳେ କିଏ ଧରିବ ଦେଶର ମଙ୍ଗ। ତେବେ କାନାଡାର ପ୍ରଧାନମନ୍ତ୍ରୀ ପଦର ରେସରେ ଭାରତୀୟ ବଂଶୋଦ୍ଭବମାନେ ଆଗରେ ରହିଛନ୍ତି। ପୂର୍ବରୁ ୨ ଭାରତୀୟ ଏହି ରେସରେ ଆଗରେ ଥିବାବେଳେ ଏବେ ଆଉ ଜଣଙ୍କ ନାମ ସାମ୍ନାକୁ ଆସିଛି।
ଭାରତୀୟ ବଂଶୋଦ୍ଭବ ସାଂସଦ ଅନୀତା ଆନନ୍ଦ ଓ ଜର୍ଜ ଚହଲ କାନାଡାର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏଥିରେ ଯୋଡି ହୋଇଛି ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କ ନାମ। ସେ ଗୁରୁବାର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, “କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ମୁଁ ଦେଶର ପୁନଃନିର୍ମାଣ ଏବଂ ସମୃଦ୍ଧି ପାଇଁ କାମ କରିବାକୁ ଚାହୁଁଛି। କାନାଡା ପାଇଁ ଏପରି ଏକ ନେତୃତ୍ୱର ଆବଶ୍ୟକତା ରହିଛି ଯିଏ ବଡ଼ ଏବଂ ସାହାସିକ ପଦକ୍ଷେପ ନେବାକୁ ଭୟ କରିବନି। କାନାଡାକୁ ଆଜି କଠିନ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି, ଯହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ପୁନର୍ଗଠନ ହୋଇପାରିବ। ସବୁ କାନାଡା ନାଗରିକଙ୍କୁ ସମାନ ସୁଯୋଗ ମିଳିପାରିବ।
ଚନ୍ଦ୍ର ଆର୍ଯ୍ୟ କର୍ଣ୍ଣାଟକର ତୁମକୁର ଜିଲ୍ଲା ଦ୍ୱାରଲୁ ଗ୍ରାମର ମୂଳ ବାସିନ୍ଦା। ୨୦୦୬ରେ ସେ କାନାଡା ଯାଇଥିଲେ। ପରେ ସେ ସେଠାରେ ଇଣ୍ଡୋ-କାନାଡା ଅଟାୱା ବିଜିନେସ ଚାମ୍ବରର ଅଧ୍ୟକ୍ଷ ଭାବେ କାମ କରିଥିଲେ। ୨୦୧୫ରେ ସେ ସାଂସଦ ହୋଇଥିଲେ। ୨୦୧୯ ଏବଂ ୨୦୨୧ରେ ପୁନର୍ବାର ନିର୍ବାଚିତ ହୋଇଥିଲେ।
ସେହିପରି ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ପରିବହନ ମନ୍ତ୍ରୀ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ମନ୍ତ୍ରୀ ଥିଲେ। ରାଜନୀତିରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି। ବିଶେଷ କରି କରୋନା ମୁକାବିଲାରେ ଅନୀତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା, ଯାହା ତାଙ୍କୁ ଲୋକପ୍ରିୟ କରାଇଥିଲା। ଅନୀତାଙ୍କର ତାମିଲନାଡୁ ଓ ପଞ୍ଜାବ ସହ ଭଲ ସମ୍ପର୍କ ରହିଛି।
ଅନ୍ୟପଟେ ଭାରତୀୟ ବଂଶୋଦ୍ଭବ ଜର୍ଜ ଚହଲ ମଧ୍ୟ ପ୍ରଧାନମନ୍ତ୍ରୀ ରେସରେ ଆଗରେ ଅଛନ୍ତି। ଜର୍ଜ ଚହଲ ଜଣେ ଓକିଲ ଓ କମ୍ୟୁନିଟି ଲିଡର ଭାବେ ପରିଚିତ। ସେ କ୍ୟାଲଗର ସିଟି କାଉନସିଲର ଭାବେ ବିଭିନ୍ନ କମିଟି ସହ ଜଡିତ ଅଛନ୍ତି। ଏଥି ସହିତ ଶିଖ କକ୍ସର ମଧ୍ୟ ଅଧ୍ୟକ୍ଷ ଅଟନ୍ତି। ସେ ଗତ କିଛି ଦିନ ଧରି ଟ୍ରୁଡୋ ସରକାର ଓ ତାଙ୍କ ନୀତିକୁ ବିରୋଧ କରି ଆସୁଥିଲେ।
ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପଦରେ ରହିଛନ୍ତି। ପରବର୍ତ୍ତୀ ନୂଆ ନେତା ବଛା ହେବା ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିବେ।
Tags: #JustinTrudeau #PrimeMinister #IndianOriginMP #Canada