ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ବିଶ୍ଵର ସର୍ବବୃହତ ଅଧ୍ୟାତ୍ମିକ ମେଳା ‘ମହାକୁମ୍ଭ’। ପୌଷ ପୂର୍ଣ୍ଣିମାରେ ସକାଳୁ ସକାଳୁ ୫୦ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଆଜିର ବ୍ରହ୍ମ ମୁହୂର୍ତ୍ତରେ ଶାହି ସ୍ନାନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।   

ପୌଷ ପୂର୍ଣ୍ଣିମାରେ ବୁଡ଼ ପକାଇବା ପରେ ମହାକୁମ୍ଭ ମେଳାରେ ଆରମ୍ଭ ହେବ କଳ୍ପବାସ। ସାଧୁସନ୍ଥ ତଥା ଅନ୍ୟ ଭକ୍ତମାନେ ଆଜିଠୁ ସଙ୍କଳ୍ପ କରି କଳ୍ପବାସ ଆରମ୍ଭ କରିବେ। ଏହି ସମୟରେ ସାଧୁସନ୍ଥମାନେ ବାଲିରେ ହୋଇଥିବା ତମ୍ବୁରେ ରହିବେ। ସେମାନେ ଏକ ନିୟମିତ ଏବଂ ସଂଯମ ଜୀବନ ଯାପନ କରିବେ। ଦିନରେ ତିନି ଥର ସ୍ନାନ କରିବେ। ଭୂମି ଉପରେ ଶୟନ କରିବେ ଏବଂ ଗୋଟିଏ ଥର ଭୋଜନ କରିବେ।

ମହାକୁମ୍ଭ ପାଇଁ ପ୍ରୟାଗରାଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜଳ ଓ ସ୍ଥଳରେ ଅନେକ ସୁରକ୍ଷାକର୍ମୀ ମୁତୟନ ହେବାସହ ଆକାଶ ମାର୍ଗରୁ ମଧ୍ୟ ସୁରକ୍ଷାର ଧ୍ୟାନ ଦିଆଯାଉଛି। ମହାକୁମ୍ଭରେ ପ୍ରଥମ ଥର ପାଇଁ ୨୭୦୦ରୁ ଅଧିକ ଏଆଇ ଯୁକ୍ତ କ୍ୟାମେରା ଲଗା ଯାଇଛି। ଏହା ବ୍ୟତୀତ ଡ୍ରୋନ କ୍ୟାମେରା ବି ଚାରିପଟକୁ ନଜର ରଖିଛି। ଉତ୍ତରପ୍ରଦେଶ ପୋଲିସ, ପାରାମିଲିଟାରୀ ଏବଂ ଏନଏସଜି କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି।

ସ୍ନାନ ଘାଟରେ ଡିପ ୱାଟର ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଏନଡିଆରଏଫ, ଏସଡିଆରଏଫର ବୁଡାଳିମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କୌଣସି ଅଘଟଣ ଘଟିଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମେଳାରେ ଏକ ସେଣ୍ଟ୍ରାଲ ହସ୍ପିଟାଲ ଖୋଲାଯାଇଛି। ପ୍ରତି ସେକ୍ଟରରେ ଗୋଟିଏ ଲେଖାଏଁ ଛୋଟ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି। 

ସୂଚନାଥାଉ କି, ମହାକୁମ୍ଭରେ ୬ ଥର ମହାସ୍ନାନ ହେବ। ପୌଷ ପୂର୍ଣ୍ଣିମାରେ ପରେ ମଙ୍ଗଳବାର ମକର ସଂକ୍ରାନ୍ତିରେ ସ୍ନାନ ଯୋଗ ରହିଛି। ଏହାପରେ ଜାନୁଆରି ୨୯ରେ ମୌନୀ ଅମାବାସ୍ୟା ତିଥିରେ ତୃତୀୟ ମହାସ୍ନାନ ହେବ। ଚତୁର୍ଥ ସ୍ନାନ ଫେବ୍ରୁଆରି ୩ ତାରିଖରେ ବସନ୍ତ ପଞ୍ଚମୀ ତିଥିରେ ରହିଛି। ସେହିପରି ପଞ୍ଚମ ସ୍ନାନ ରହିଛି ଫେବ୍ରୁଆରି ୧୨ ତାରିଖ ମାଘ ପୂର୍ଣ୍ଣିମାରେ ଓ ମହାକୁମ୍ଭର ଶେଷ ମହାସ୍ନାନ ଫେବ୍ରୁଆରି ୨୬ ତାରିଖ ମହାଶିବରାତ୍ର ତିଥିରେ ପଡ଼ିବ। 

Tags: #MahaKumbhMela #TriveniSangam #HolyBath #Kalpavas #Prayagraj

LEAVE A REPLY

Please enter your comment!
Please enter your name here