ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସଂଗମ ନଗରୀ। ପ୍ରୟାଗରାଜ ମହାକୁମ୍ଭରେ ଏଥର ଯୋଗଦେବେ ଆପଲ କମ୍ପାନିର କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ। ସେ ଏହି ମେଳାରେ କଳ୍ପବାସ କରିବେ।
ହିନ୍ଦୁମାନଙ୍କ ପାଇଁ ମହାକୁମ୍ଭର ବିଶେଷ ମହତ୍ୱ ରହିଛି। ଏଥିରେ କଳ୍ପବାସ ଏକ ପ୍ରାଚୀନ ପ୍ରଥା। କଳ୍ପବାସୀମାନେ ପୌଷ ପୂର୍ଣ୍ଣିମାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସକ ଯାକ ପାଳନ କରିଥାନ୍ତି। ଏହି ଅବସରରେ କଳ୍ପବାସୀମାନେ ପ୍ରତିଦିନ ଗଙ୍ଗାରେ ସ୍ନାନ କରନ୍ତି। କୁମ୍ଭମେଳା ଅବସରରେ ଋଷି ଏବଂ ସାଧୁସନ୍ଥଙ୍କ ଶିବିରକୁ ଯାଇ ପ୍ରବଚନ ଶୁଣନ୍ତି। ଭଜନ, କୀର୍ତ୍ତନରେ ଭାଗ ନେଇଥାନ୍ତି। ଲରେନ ପାୱେଲ ମଧ୍ୟ ଏସବୁ ନିୟମ ପାଳନ କରିବେ ।
ଆପଲ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କର ହିନ୍ଦୁ ଏବଂ ବୌଦ୍ଧ ଧର୍ମ ପ୍ରତି ବିଶେଷ ରୁଚି ରହିଥିଲା। ଏବେ ତାଙ୍କର ପତ୍ନୀ ଲରେନ ପାୱେଲ ତାଙ୍କର ପଦ ଅନୁସରଣ କରୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ତାଙ୍କର ମଧ୍ୟ ରୁଚି ରହିଛି। ତେଣୁ ଲରେନ ପାୱେଲ ଏଥର କୁମ୍ଭ ମେଳାରେ ଯୋଗ ଦେବାପାଇଁ ଭାରତ ଆସୁଛନ୍ତି ଏବଂ ସେ ଏଠାରେ ୧୭ ଦିନ ରହିବାର କାର୍ଯ୍ୟକ୍ରମ ରହିଛି।
ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଶିବିରରେ ରହିବେ। କୈଳାଶାନନ୍ଦଙ୍କ ଶିବିରରେ ଜାନୁଆରୀ ୧୯ରୁ କଥା ଆରମ୍ଭ ହେବ। ଏହି କଥାର ପ୍ରଥମ ଯଜମାନ ହେବେ ଲରେନ ପାୱେଲ। ନିରଞ୍ଜନୀ ଆଖଡାକୁ ଅଧିକ ଶିକ୍ଷିତ ଲୋକଙ୍କ ଶିବିର ବୋଲି କୁହାଯାଇଥାଏ ।
ଷ୍ଟିଭ ଜବ୍ସ ଆପଲ କମ୍ପାନିର ସହ ପ୍ରତିଷ୍ଠାତା ଥିଲେ। ତାଙ୍କର ଦେହାନ୍ତ ପରେ ଏବେ ତାଙ୍କ ପତ୍ନୀ ଲରେନ ପାୱେଲ ତାଙ୍କ ଅଂଶର ମାଲିକାଣୀ। ଏହା ବ୍ୟତୀତ ଲରେନ ଏମର୍ସନ କଲେକ୍ଟିଭର ମଧ୍ୟ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅଛନ୍ତି।
ଲରେନ ପାୱେଲଙ୍କ ବ୍ୟତୀତ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ସାଂସଦ ସୁଧାମୂର୍ତ୍ତି ମଧ୍ୟ ସଂଗମରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଆସୁଛନ୍ତି। ସୁଧା ମୂର୍ତ୍ତିଙ୍କ ପାଇଁ ଉଲ୍ଟା କିଲା ପାଖରେ ଏକ କଟେଜ ନିର୍ମାଣ କରାଯାଇଛି।
ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରି ୨୬ ତାରିଖ ଯାଏଁ ୪୫ ଦିନ ଧରି ଚାଲିବ କୁମ୍ଭମେଳା। ପ୍ରୟାଗରାଜରେ ଆୟୋଜିତ ଏହି ମହାକୁମ୍ଭରେ ତିନୋଟି ମହା ସ୍ନାନ ଅନୁଷ୍ଠିତ ହେବ।
Tags: #LaurenePowell #Apple #MahakumbhMela #Kalpavas #Prayagraj