ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ କୁମ୍ଭୀର ଗଣନା। ଏଥିପାଇଁ ଆଜିଠାରୁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ବନ୍ଦ ହୋଇଛି। ଜାନୁଆରି ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଚାଲିବ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାର ନଦୀରେ ରହୁଥିବା କୁମ୍ଭୀରମାନଙ୍କ ଗଣନା କରିଯିବ। ଏଥିରେ ଭିତରକନିକା ଅନ୍ତର୍ଗତ ୪ଟି ରେଞ୍ଜ ରାଜନଗର, କନିକା ଓ ମହାକାଳପଡ଼ାରେ କୁମ୍ଭୀର ଗଣାଯିବ।
କୁମ୍ଭୀର ଗଣନା ଆରମ୍ଭ ହେବାର ୨ ଦିନ ପୂର୍ବରୁ ଭିତରକନିକାରେ ବୋଟ ଚଳାଚଳ ବନ୍ଦ ରଖାଯିବ। କୁମ୍ଭୀର ଗଣନା କାମରେ ବନବିଭାଗ ଟିମ୍ ଏବଂ ବିଶେଷଜ୍ଞ ଦଳ ସାମିଲ ହେବେ।
୧୯୭୫ ମସିହାରେ ଭିତରକନିକାର ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଭାରତର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ର ଗଠନ ହୋଇଥିଲା। କୁମ୍ଭୀରଙ୍କ ବଂଶବୃଦ୍ଧି ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏହା ଗଠନ କରାଯାଇଥିଲା।
ଆରମ୍ଭରେ ଭିତରକନିକାରେ ୯୬ଟି କୁମ୍ଭୀର ଥିବାବେଳେ ୨୦୨୩ର ଗଣନା ଅନୁସାରେ ବର୍ତ୍ତମାନ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୭୯୩ରେ ପହଞ୍ଚିଛି।
Tags: #BhitarkanikaNationalPark #CrocodileCensus #Kendrapara #Odisha