ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଗୁରୁବାର ଇସ୍ରୋର ସ୍ପେଡେକ୍ସ ମିଶନରେ ମହାକାଶରେ ପ୍ରଥମଥର ପାଇଁ ୨ଟି ସାଟେଲାଇଟର ଡକିଂ କରାଯାଇଛି। ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ଵର ଚତୁର୍ଥ ଦେଶ ପାଲଟିଛି।
‘ସ୍ପେଡେକ୍ସ’ ମିଶନରେ ଏସଡିଏକ୍ସ-୧ ଓ ଏସଡିଏକ୍ସ-୨ ନାମକ ଦୁଇଟି ସାଟେଲାଇଟ୍ ସାମିଲ ଥିଲା। ଏସଡିଏକ୍ସ-୧କୁ ଚେଜର ଏବଂ ଏସଡିଏକ୍ସ-୨ ଟାର୍ଗେଟ ସାଟେଲାଇଟ୍ ରହିଥିଲା। ଏହି ୨ଟି ସାଟେଲାଇଟ୍ ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ପୃଥିବୀର ନିମ୍ନ କକ୍ଷପଥରେ ଅଲଗା ଅଲଗା ଘୁରୁଥିଲେ।
୨ଟି ସାଟେଲାଇଟ୍ ମଧ୍ୟରେ ୩୦ କିଲୋମିଟର ଦୂରତା ରହିଥିଲା। ଏହାପରେ ଧୀରେ ଧୀରେ ଉଭୟ ସାଟେଲାଇଟ୍ ମଧ୍ୟରେ ଦୂରତା କମିବାରେ ଲାଗିଥିଲା। ଜାନୁଆରି ୬ ତାରିଖ ଭୋର ସମୟରେ ଏହି ଡକିଂ ପରୀକ୍ଷଣଟି ଦୁଇଟି ଉପଗ୍ରହ ମଧ୍ୟରେ ଏକ ସୂକ୍ଷ୍ମ କମ୍ପନ ସୃଷ୍ଟି ହୋଇଥିଲା। ଏଥିରେ ଚେଜର୍ ତାର ଲକ୍ଷ୍ୟ ଉପଗ୍ରହ ସହିତ ଡକିଂ ପାଇଁ ଆଗେଇଥିଲା। ହେଲେ ଏହା ପରେ ସଫଳ ହୋଇନଥିବାରୁ ସାଟେଲାଇଟଗୁଡ଼ିକୁ ଟିକଏ ପଛକୁ ନିଆଯାଇଥିଲା।
ଏହା ପରେ ଜାନୁଆରି ୧୨ ତାରିଖରେ ଦୁଇ ସାଟେଲାଇଟକୁ ପ୍ରାୟ ୧୫ ମିଟରରୁ ୩ ମିଟର ପର୍ଯ୍ୟନ୍ତ ହୋଲ୍ଡ ପଏଣ୍ଟରେ ରଖାଯାଇଥିଲା। ପରେ ଗୁରୁବାର ଉଭୟ ସାଟେଲାଇଟକୁ ପୁନଶ୍ଚ ଡକିଂ କରାଯାଇବାବେଳେ ଏହା ସଫଳତାର ସହ ଯୋଡି ହୋଇଥିଲା। ଏହି ଡକିଂ ପ୍ରକ୍ରିୟା ଆହୁରି ୨ ମାସ ଯାଏଁ ଚାଲିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
‘ସ୍ପେଡେକ୍ସ’ ମିଶନକୁ ୨୦୨୪ ଡିସେମ୍ବର ୩୦ ତାରିଖ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା। ପିଏସଏଲଭି ସି-୬୦ ରକେଟ ମାଧ୍ୟମରେ ମିଶନର ଉଭୟ ସାଟେଲାଇଟକୁ ୪୭୦ କିଲୋମିଟର ଉଚ୍ଚତାରେ ପୃଥିବୀର ନିମ୍ନ କକ୍ଷପଥରେ ଛଡ଼ା ଯାଇଥିଲା।
Tags: #SpadexMission #SpaceDocking #SpaceTechnology #ISRO #India