ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜାନୁଆରି ୨୪ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ଆବାସ ପୋର୍ଟାଲର ଶୁଭାରମ୍ଭ କରିବେ ରାଜ୍ୟ ସରକାର। ଏଥିରେ ହିତାଧିକାରୀମାନେ ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ। ଏନେଇ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।
“ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆମେ ପ୍ରସ୍ତୁତ ଅଛୁ। କେନ୍ଦ୍ର ସରକାର ଦେଶରେ ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢ଼ାଇଛନ୍ତି। ଓଡ଼ିଶାକୁ ଅଧିକ ଘର ମିଳିବା ନେଇ ଆଶା ରହିଛି। କେନ୍ଦ୍ର ସରକାର ନିୟମକୁ ମଧ୍ୟ କୋହଳ କରିଛନ୍ତି। ବାଇକ୍, ଫ୍ରିଜ୍ ଥିଲେ ବି ଲୋକେ ଆବେଦନ କରିପାରିବେ। ମାସିକ ୧୫ ହଜାର ଟଙ୍କା ଆୟ ଥିଲେ ବି ଆବେଦନ କରିହେବ। ଏଥିରୁ କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ”, କହିଛନ୍ତି ରବି ନାରାୟଣ ନାୟକ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ କାମ ୨ ମାସ ଚାଲିବ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକଙ୍କୁ ମଧ୍ୟ ଆଉଥରେ ନୂଆ ଆବେଦନ କରିବାକୁ ହେବ। ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ଅଫଲାଇନରେ ଆବେଦନ କରିପାରିବେ।
Tags: #PMAwasYojana #PuccaHouse #Villages #Odisha #India