ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଶପଥ ନେବାପରେ ସେ ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନେକ ଆଦେଶରେ ଦସ୍ତଖତ କରିଛନ୍ତି। ଏହି ଆଦେଶ ମଧ୍ୟରେ ପ୍ୟାରିସ ଜଳବାୟୁ ବୁଝାମଣା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସଦସ୍ୟତାରୁ ଆମେରିକା ବାହାରି ଆସିବା ନିର୍ଦ୍ଦେଶ ରହିଛି।
ଟ୍ରମ୍ପ ଶପଥ ନେବା ପରେ ହ୍ଵାଇଟ୍ ହାଉସର ଓଭଲ ଅଫିସରେ ପହଞ୍ଚିଥିଲେ। ସେଠାରେ ସେ ଅନେକ ଆଦେଶ ଉପରେ ଦସ୍ତଖତ କରିଥିଲେ। ଏହି ଅବସରରେ ସେ ବାଇଡେନ ସରକାରଙ୍କ ସମୟର ହୋଇଥିବା ୭୮ଟି ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି। ଏଥିସହିତ ପ୍ୟାରିସ ଜଳବାୟୁ ବୁଝାମଣାରୁ ଆମେରକା ବାହାରି ଆସିବାର ଘୋଷଣା କରିଥିଲେ।
ହ୍ଵାଇଟ୍ ହାଉସକୁ ଯିବା ପୂର୍ବରୁ ଟ୍ରମ୍ପ କହିଥିଲେ, “ମୁଁ ଆଜି କିଛି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଯାଉଛି। ପ୍ରଥମେ ପୂର୍ବ ସରକାର ନେଇଥିବା ବିନାଶକାରୀ ନିଷ୍ପତ୍ତିକୁ ରଦ୍ଦ କରିବି। ଏହି ସରକାର ଆମେରକା ଇତିହାସରେ ସବୁଠାରୁ ଖରାପ ସରକାର ଥିଲେ।”
କେଉଁ କେଉଁ ଫାଇଲରେ କଲେ ଦସ୍ତଖତ?
- ଆମେରିକାକୁ ବେଆଇନ ଭାବେ ଆସୁଥିବା ଲୋକଙ୍କୁ ରୋକିବା ପାଇଁ ଦେଶର ଦକ୍ଷିଣରେ ଥିବା ମେକ୍ସିକୋ ସୀମାରେ ଜରୁରୀକାଳୀନ ପରିସ୍ଥିତ ଘୋଷଣା।
- ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ହିଲ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ୧୫୦୦ ଦୋଷୀଙ୍କୁ କ୍ଷମା ଦେବା।
- ଆମେରିକା ଓ ବିଦେଶର ଡ୍ରଗ୍ସ କାର୍ଟେଲକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବ।
- ମେକ୍ସିକୋ ଏବଂ କାନାଡା ଉପରେ ୨୫ ପ୍ରତିଶତ ବ୍ୟବସାୟିକ ଶୁଳ୍କ ଲଗାଇବା ନେଇ ଘୋଷଣା। ଏହା ଫେବ୍ରୁଆରି ମାସରୁ ଲାଗୁ ହେବାର ସମ୍ଭବନା ରହିଛି।
- ଆମେରିକାରେ ସଂଘୀୟ ସରକାରରେ ଯୋଗ୍ୟତା ଆଧାରରେ ଆଶାୟୀଙ୍କୁ ନିଯୁକ୍ତି ପ୍ରଦାନ କରିବା।
- ଇଲେକ୍ଟ୍ରିକ ବାହନ ବ୍ୟବହାର କରିବା ବାଧ୍ୟତାମୂଳକ ନିର୍ଦ୍ଦେଶର ଅନ୍ତ କରିବା।
- ଆମେରିକାରେ ଜନ୍ମରୁ ମିଳୁଥିବା ନାଗରିକତା ପ୍ରଦାନ ଯୋଜନାକୁ ରଦ୍ଦ କରିବା।
- ଆମେିରକାରେ ‘ଟିକଟକ୍’ ଉପରେ ପ୍ରତିବନ୍ଧ ହଟାଇବା ସହ ଏହା କାର୍ଯ୍ୟକାଳକୁ ଆଉ ୭୫ ଦିନ ପାଇଁ ବୃଦ୍ଧି କରିବା।
ଏଥିସହିତ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ମତ ରଖି ଟ୍ରମ୍ପ କହିଛନ୍ତି, ୨୦୨୨ରେ ମୁଁ ରାଷ୍ଟ୍ରପତି ପଦରେ ଥିଲେ ତେବେ ଏହି ଯୁଦ୍ଧକୁ କେବେ ହେବାକୁ ଦେଇ ନଥାନ୍ତି। ଖୁବ ଶୀଘ୍ର ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବି।”
ସାରା ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଉପରେ। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଅନେକ ପ୍ରତିଶ୍ରୁତି ଦେଇଥିଲେ। ତେବେ ପଦ ସମ୍ଭାଳିବା ପରେ ତାଙ୍କର ବିଭିନ୍ନ ନିର୍ଦ୍ଦେଶ ଉପରେ ସାରା ବିଶ୍ଵର ନଜର ରହିଛି।
Tags: #DonaldTrump #POTUS #ExecutiveDecisions #USA